ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ନିଯୁକ୍ତ ତଦନ୍ତକାରୀ କମିଟି ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ସାର୍ବଜନୀନ ହୋଇଥିବା ରିପୋର୍ଟରେ ସୁପ୍ରିମକୋର୍ଟ କମିଟି କହିଛି ଯେ ଆଦାନୀ ଗ୍ରୁପ୍ ଦ୍ୱାରା କୌଣସି ନିୟମ ଉଲ୍ଲଂଘନ କରାଯାଇ ନାହିଁ ଏବଂ ଆଦାନୀ ଗ୍ରୁପ୍ ଦେଇଥିବା ସୂଚନାକୁ ମଧ୍ୟ ସେବି ଭୁଲ ଉପସ୍ଥାପନ କରି ନାହିଁ ।
ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ୬ ସଦସ୍ୟ ବିଶିଷ୍ଟ ଏହି ପ୍ୟାନେଲ ଆଦାନୀ ସମୁହର ୧୩ ଟି ଅଲଗା ଅଲଗା କାରବାରର ଯାଞ୍ଚ କରିଥିଲେ ଏବଂ ଏହା ଉପରେ ତଥ୍ୟ ଏକଜୁଟ୍ କରି ଏହାର ସମିକ୍ଷା କରିଥିଲେ । ନିୟମ ଅନୁଯାୟୀ ସେବି’ର ବିଫଳତା ଖୋଜିବା ସମ୍ଭବ ନୁହେଁ । ପ୍ୟାନେଲ ଏହା ମଧ୍ୟ ସୂଚାଇ ଦେଇଛି ଯେ ଜାନୁୟାରୀ ୨୪, ୨୦୨୩ ପରେ ଆଦାନୀଙ୍କ ସେୟାରରେ ଖୁଚୁରା ନିବେଶକଙ୍କ ଦ୍ୱାରା ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି । ପ୍ୟାନେଲ ଏହାର ରିପୋର୍ଟରେ କହିଛି ଯେ ହିଣ୍ଡେନବର୍ଗ ଜାନୁଆରୀ ୨୪ ରେ ଏହାର ରିପୋର୍ଟ ପ୍ରକାଶ କରିବା ପରେ ଭାରତୀୟ ଷ୍ଟକ୍ ମାର୍କେଟରେ ଅଧିକ ଅସ୍ଥିରତା ନଥିଲା ।
ସୁପ୍ରିମକୋର୍ଟ ଗଠନ କରିଥିବା ଏହି ୬ ଜଣିଆ କମିଟିର ନେତୃତ୍ୱ ଅବରସପ୍ରାପ୍ତ ବିଚାରପତି ଅଭୟ ମନୋହର ସପ୍ରା କରୁଥିଲେ । ତାଙ୍କ ବ୍ୟତିତ ଏହି ପ୍ୟାନେଲରେ ବିଚାରପତି ଜେପି ଦେଓଧର, କେବି କାମଥ, ନନ୍ଦନ ନୀଲେକଣୀ, ଆପି ଭଟ୍ଟ ଏବଂ ସୋମଶେଖର ସୁଦର୍ଶନ ସାମିଲ ଥିଲେ ।
ତେବେ ଆଜି ସୁପ୍ରିମକୋର୍ଟଙ୍କ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସମୁହର ସେୟାର ବୃଦ୍ଧି ପାଇଛି । ଗ୍ରୁପ୍ର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜ୍ର ସେୟାର ୩ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ ଆଦାନୀ ବନ୍ଦର, ଆଦାନୀ ପାୱାର, ଆଦାନୀ ଟ୍ରାନ୍ସମିସନ, ଆଦାନୀ ୱିଲମାରର ସେୟାରରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି ।