fbpx

ଆଗକୁ ବଢ଼ୁଛି ଓଡ଼ିଶା: ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ମାର୍ଟ କ୍ଲାସରୁମ ଓ ଇ-ଲାଇବ୍ରେରୀ ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ତିନିଦିନିଆ କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ଯାଇଥିଲେ । ଏହି ଅବସରରେ ପ୍ରଥମ ଦିନରେ ସେ ଉତକେଲା, ମଦନପୁର ଓ ଭବାନିପାଟଣାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦେଖିଥିଲେ । ଏଥିସହିତ ଛାତ୍ରଛାତ୍ରୀ, ମହିଳା, କ୍ରୀଡ଼ାବିତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।

ଶ୍ରୀ ପାଣ୍ଡିଆନ ଉତକେଲା ବିମାନ ଘାଟିର କାର୍ଯ୍ୟ ଅନୁଧ୍ୟାନ କରିବା ସହିତ କଳାହାଣ୍ଡି ଏୟାର ସଂଯୋଗର ବିକାଶ ପାଇଁ ବିମାନଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ୱର ଧବଳେଶ୍ୱର ଶିବ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ସେ ମନ୍ଦିରର ବିକାଶ ନେଇ ସେବାୟତ ଓ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

ପରବର୍ତ୍ତୀ ସମୟରେ ଶ୍ରୀ ପାଣ୍ଡିଆନ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟ ବୁଲି ଦେଖିଥିଲେ । ଆସନ୍ତା ୬ ମାସ ମଧ୍ୟରେ ହସ୍ପିଟାଲ କାର୍ଯ୍ୟ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ନିରାମୟ କେନ୍ଦ୍ରର ମାଗଣା ଔଷଧ ବଣ୍ଟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏଥିସହିତ ତେଲ ନଦୀରେ ନିର୍ମାଣ ହୋଇଥିବା ସାଣ୍ଡୁଲ ବ୍ରିଜ କାର୍ଯ୍ୟ ସମୀକ୍ଷା କରିଥିଲେ । ମାର୍ଚ୍ଚ ୨୪ ସୁଦ୍ଧା କାମ ସାରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ବ୍ୟାରେଜ କାର୍ଯ୍ୟ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା, କେସିଙ୍ଗା ଆଦି ବ୍ଲକର ୨୯ଟି ଗ୍ରାମର ଚାଷଜମିକୁ ଭୂତଳ ପାଇପ ଯୋଗେ ଜଳ ଯୋଗାଣ ହୋଇପାରିବ ।

ଏହି ଅବସରରେ ସେ ନର୍ଲା ଷ୍ଟାଡିୟମ ଓ ମିଶନ ଶକ୍ତି କାଫେ ପରିଦର୍ଶନ କରି ଖେଳାଳି ଓ ମିଶନ ଶକ୍ତି ମା’ମାନଙ୍କ ସହିତ ଆଲୋଚନା କରିଥିଲେ । ସେ ଭବାନୀପାଟଣା ପୋଲିସ ହାଇସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ ସ୍କୁଲ ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଓ ଉନ୍ନତ ଲାବୋରେଟୋରୀର ବିକାଶ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.