fbpx

ବାୟୁସେନାର ବଡ଼ ନିଷ୍ପତ୍ତି: MIG-21 ଉଡ଼ାଣ ଉପରେ ଲାଗିଲା ରୋକ, ୪୦୦ରୁ ଅଧିକ ଦୁର୍ଘଟଣା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାର ଶିକାର ହେଉଛି । ଦୁଇ ସପ୍ତାହ ତଳେ ରାଜସ୍ଥାନରେ ଉଡ଼ାଣ ଭରୁଥିବା ସମୟରେ ଗୋଟିଏ ମିଗ-୨୧ ବିମାନ କ୍ରାଶ ହୋଇଯାଇଥିଲା । ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ମିଗ-୨୧ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ମିଗ-୨୧ ଫାଇଟର ଜେଟର ଉଡ଼ାଣ ଉପରେ ରୋକ ଲାଗୁ କରାଯାଇଛି । ବାୟୁସେନା ପକ୍ଷରୁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି ।

ତେବେ ଏହି ନିଷ୍ପତ୍ତି ସ୍ଥାୟୀ ଭାବେ ନିଆଯାଇନାହିଁ । ଗତ ୮ ତାରିଖରେ ରାଜସ୍ଥାନରେ ହୋଇଥିବା ବିମାନ ଦୁର୍ଘଟଣାର କାରଣ ଏବେ ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ ବିମାନର ତିନି ସ୍କ୍ୱାଡ୍ରନ ବିମାନ ଉଡ଼ାଣ ଭରିବେ ନାହିଁ । ମିଗ୍ ଭାରିଆଣ୍ଟର ପ୍ରଥମ ବିମାନକୁ ଗତ ୧୯୬୩ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଏହାପରେ ଏକାଧିକ ଦଶନ୍ଧି ମଧ୍ୟରେ ଭାରତ ୭୦୦ରୁ ଅଧିକ ମିଗ-ଭାରିଆଣ୍ଟ ବିମାନ କ୍ରୟ କରିଥିଲା ।

ପୁରୁଣା ଯୁଦ୍ଧ ବିମାନକୁ ପରିବର୍ତ୍ତନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ବର୍ଷ ଫେବୃଆରୀରେ ୮୩ଟି ତେଜସ ଯୁଦ୍ଧ ବିମାନ କ୍ରୟ ନେଇ ହାଲ ସହିତ ୪୮ ହଜାର କୋଟିର ଡିଲ୍ କରଯାଇଥିଲା । ୧୯୬୦ ଦଶକ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ବାୟୁସେନାରେ ସାମିଲ କରାଯାଇଥିବା ମିଗ-୨୧ ବିମାନର ୪୦୦ ଦୁର୍ଘଟଣା ଘଟିସାରିଲାଣି । ଭାରତୀୟ ବାୟୁସେନା ବିମାନ ଅଭାବର ସାମ୍ନା କରୁଛି । ଚୀନ ଓ ପାକିସ୍ତାନ ସହିତ ମୁକାବିଲା କରିବା ପାଇଁ ବାୟୁସେନାର ୪୨ ସ୍କ୍ୱାଡ୍ରନର ଆବଶ୍ୟକତା ରହିଛି । ମାତ୍ର ବର୍ତ୍ତମାନ ପାଖାପାଖି ୩୨ଟି ସ୍କ୍ୱାଡ୍ରନ ରହିଥିବା ନେଇ ଗତବର୍ଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଆଉ ୪୨ଟି ସ୍କ୍ୱାଡ୍ରନର ଆବଶ୍ୟକତା ରହିଥିବା କୁହାଯାଇଥିଲା । ଆଗାମୀ ଦିନରେ ପୁରୁଣା ବିମାନ ରିଟାୟାର ହୋଇଯିବା ପରେ ସ୍କ୍ୱାଡ୍ରନ ସଂଖ୍ୟା ଆହୁରି ହ୍ରାସ ପାଇବ ।

Get real time updates directly on you device, subscribe now.