fbpx

ମୋଦୀଙ୍କ ଜାପାନ ଗସ୍ତ ସହ ନୋଟବନ୍ଦୀର ରହିଛି କି ସମ୍ପର୍କ? ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଖଡଗେ

ନୂଆଦିଲ୍ଲୀ: ଭାରତରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ନିଷ୍ପତ୍ତି ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି । ବର୍ତ୍ତମାନ ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ନୋଟବନ୍ଦୀ ସହ ମୋଦିଙ୍କ ଜାପାନ ଗସ୍ତକୁ ଯୋଡି କଟାକ୍ଷ କରିଛନ୍ତି ମଲ୍ଲିକାର୍ଜୁନ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯେବେ ବି ଜାପାନ ଗସ୍ତ କରନ୍ତି, ସେ ନୋଟବନ୍ଦୀର ନିଷ୍ପତ୍ତି ନେଇଥାନ୍ତି । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ନୋଟବନ୍ଦୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଯୋଗୁଁ ସାଧାରଣ ଜନତାଙ୍କ ପାଇଁ ଆଉ ଏକ ବଡ ସମସ୍ୟା ସୃଷ୍ଟି ହେବ । ଏହାର ଉଦାହରଣରେ ସେ ୨୦୧୬ ବିମୁଦ୍ରୀକରଣ ସମୟରେ ହୋଇଥିବା ନୋଟବନ୍ଦୀକୁ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ମୋଦି ଯେବେ ବି ଜାପାନ ଯାଆନ୍ତି ଏହାପରେ ନୋଟବନ୍ଦୀ ଆଦେଶ ଜାରି କରନ୍ତି । ଗତ ଥର ଜାପାନ ଗସ୍ତ ସମୟରେ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ବ୍ୟାନ ଲଗାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଚଳିତ ଥର ମଧ୍ୟ ମୋଦୀ ଗସ୍ତରେ ଥିବା ବେଳେ ଭାରତରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିବା ପାଇଁ ଆଦେଶ ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ତେଣୁ ଉଭୟ ଗସ୍ତ ଏବଂ ନୋଟବନ୍ଦୀ ମଧ୍ୟରେ କିଛି ସମ୍ପର୍କ ରହିଥିବା କହିଛନ୍ତି ଖଡଗେ, ଯାହା ସାଧାରଣ ଜନତାଙ୍କୁ ସମସ୍ୟାରେ ପକାଇଛି ।

ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ଅଚାନକ ୧୯ ତାରିଖ ସନ୍ଧ୍ୟାରେ ମାର୍କେଟରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରୁ ଦେଶରେ ଏହାର ପ୍ରଚଳନ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ । ତେବେ ଲୋକଙ୍କ ପାଖରେ ରହିଥିବା ଏହି ନୋଟ୍ ବ୍ୟାଙ୍କରେ ପରିବର୍ତ୍ତନ କରିବା ପାଇଁ ସମୟ ଦେଇଛନ୍ତି ସରକାର । ମେ’ ୨୩ ତାରିଖରୁ ୩୦ ତାରିଖ ମଧ୍ୟରେ ୨୦୦୦ଟଙ୍କିଆ ନୋଟ ବ୍ୟାଙ୍କରେ ଏକ୍ସଚେଞ୍ଜ କରିପାରିବେ ।

Get real time updates directly on you device, subscribe now.