fbpx

ରାଜ୍ୟରେ ପ୍ରଥମ ଘଟଣା: ୩ ମାସର ଶିଶୁର ରେଟିନା ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ୁଥିବା ବେଳେ ଅନେକ ଭୟଙ୍କର ରୋଗରୁ ଲୋକମାନେ ସୁସ୍ଥ ଲାଭ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର କରାଯାଇଛି । ଗୋଟିଏ ୩ ମାସର ଶିଶୁର ରେଟିନା ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି । ଏହି ଅସ୍ତ୍ରୋପଚାର ଫଳରେ ଶିଶୁଟି ଏବେ ଭଲଭାବେ ଦେଖି ପାରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଶିଶୁଟିର ଦୃଷ୍ଟିଶକ୍ତି ଆବଶ୍ୟକତା ଅନୁସାରେ ବିକାଶ ହେଉନଥିବା ସ୍କ୍ରିନିଂ ମାଧ୍ୟମରେ ଜଣାପଡ଼ିଥିଲା । ତେଣୁ ଶିଶୁଟି ଦେଖିବାକୁ ଅସମର୍ଥ ବୋଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ)ର ଡାକ୍ତରମାନେ ଜାଣିପାରିଥିଲେ । ତେଣୁ ପ୍ରଥମେ ଶିଶୁଟିର ଲେଜର ଚିକିତ୍ସା କରାଯିବା ସହ ପରେ ବାମ ଆଖିରେ ଅସ୍ତ୍ରୋପଚାର କରାଯାିଥିଳା । ତେବେ ଏଭଳି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ଡାକ୍ତର କହିଛନ୍ତି ।

ଦୀର୍ଘ ୧ ଘଣ୍ଟାର ପରିଶ୍ରମ କରି ଏକ ୫ ଜଣିଆ ଡାକ୍ତର ଟିମ୍ ଶିଶୁର ରେଟିନା ଅସ୍ତ୍ରୋପଚାର କରି ଶେଷରେ ସଫଳ ହୋଇଥିଲେ । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାବେଳେ ସେ ଭଲ ଭାବେ ଦେଖିପାରୁଛି । ଶିଶୁର ବୟସ ମାତ୍ର ୩ ମାସ ହୋଇଥିବାରୁ ଏହି ସର୍ଜରୀ କରାଇବା ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଏକ କେଜି ୭୫୦ ଗ୍ରାମରୁ କମ୍ ଓଜନ ଥିଲେ ଶିଶୁ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଥାଏ । ଅନେକ କ୍ଷେତ୍ରରେ ଶିଶୁର ଦୃଷ୍ଟିଶକ୍ତି ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଥାଏ । ଠିକ୍ ସମୟରେ ରେଟିନା ସ୍କ୍ରିନିଂ କରିବା ଫଳରେ ଶିଶୁଠରେ ରହିଥିବା ଦୃଷ୍ଟି ଜନିତ ସମସ୍ୟା ଜଣାପଡ଼ିଥାଏ । ରାଜ୍ୟ ବାହାରେ ଏହି ଚିକିତ୍ସା ପାଇଁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବା ବେଳେ କିମ୍ସରେ କମ୍ ଖର୍ଚ୍ଚରେ ଏହି ଚିକିତ୍ସା ସମ୍ଭବ ହୋଇଥିବାରୁ ଶିଶୁଟିର ପିତାମାତା ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.