fbpx

ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୩୦ ହଜାର ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଗକୁ ମଧ୍ୟ ଅନେକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଜାତୀୟ ହାର ଠାରୁ ଉନ୍ନତ ପ୍ରଦର୍ଶନ କରୁଥିବାର ଦେଖାଯାଇଛି ।

ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଯୋଜନା ଲାଗୁ କରାଯିବା ଫଳରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇ ପାରିଛି । ତେବେ ଖୁବଶୀଘ୍ର ରାଜ୍ୟରେ ଆଉ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯିବା ସହିତ ତାହା ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ସହାୟକ ହୋଇ ପାରିଛି । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଏ ବାବଦରେ ସୂଚନା ଦେଇଛନ୍ତି ।

ରାଜ୍ୟର ପ୍ରତ୍ୟେକ ହାଇସ୍କୁଲରେ ଆଇଟି ଲ୍ୟାବ ପ୍ରତିଷ୍ଠା କରାଯିବା ସହିତ ପ୍ରତି ପୌରସଂସ୍ଥାରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଗଣଶିକ୍ଷା ବିଭାଗକୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ବିଭାଗୀୟ ବଜେଟକୁ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୯ ପରଠାରୁ ଗଣଶିକ୍ଷା ବିଭାଗରେ ୧୪,୮୪୯ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ରାଜ୍ୟ ସରକାର ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିସହିତ ଚଳିତ ବର୍ଷରୁ ପ୍ରଥମରୁ ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ସାଇକେଲ କିଣା ଅନୁଦାନ ରାଶି ୨୬୦୦ରୁ ୩୫୦୦କୁ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀଙ୍କୁ ନୋଟ ବୁକ୍ ପ୍ରଦାନ କରାଯିବା ସହିତ ସେମାନଙ୍କର ସଫଳତାର ହାର ବୃଦ୍ଧି କରାଯିବା ଓ ଡ୍ରପ୍ ଆଉଟ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.