fbpx

ରାଜ୍ୟରେ ଗତବର୍ଷ ତୁଳନାରେ ବଢ଼ିଲା ଦୁର୍ଘଟଣା, ଯାଜପୁର ଜିଲ୍ଲାରେ ମୃତ୍ୟୁହାର ସବୁଠାରୁ ଅଧିକ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ବଢିଚାଲିଛି ଦୁର୍ଘଟଣା। ଗତବର୍ଷ ତୁଳନାରେ ଏ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ସଡକ ଦୁର୍ଘଟଣା ମୃତ୍ୟୁ ପାଖାପାଖି ୨୫ ପ୍ରତିଶତ ବଢ଼ିଥିବା ଜଣାପଡିଛି। ଯାଜପୁର ଜିଲ୍ଲାରେ ମୃତ୍ୟୁହାର ସବୁଠାରୁ ଅଧିକ ଥିବାବେଳେ କନ୍ଧମାଳ ଜିଲ୍ଲାରେ ସବୁଠାରୁ କମ୍‍ ରହିଛି। ଗତବର୍ଷ ଜାନୁୟାରୀ, ଫେବୃୟାରୀ ମାସରେ ରାଜ୍ୟରେ ୧ ହଜାର ୮୦୪ଟି ସଡକ ଦୁର୍ଘଟଣା ଘଟିଥିଲା ଏବଂ ଏହି ଦୁର୍ଘଟଣାରେ ୮୫୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏବର୍ଷ ଜାନୁୟାରୀ-ଫେବୃୟାରୀ ମାସରେ ୨ ହଜାର ୩୧୨ଟି ସଡକ ଦୁର୍ଘଟଣାରେ ୧ ହଜାର ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।ସୂଚନାଯୋଗ୍ୟ, ଗତବର୍ଷ ରାଜ୍ୟରେ ୫ ହଜାର ୪୬୭ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତେବେ ଏହାଉପରେ ରୋକ୍‌ ଲଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଜି ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି କରିଛନ୍ତି।

ତେବେ ରାଜ୍ୟରେ ବିଭିନ୍ନ ସମୟରେ ସରକାରୀ ପଦକ୍ଷେପ ଓ ସଚେତନତା ସତ୍ତ୍ବେ ଦେବଗଡ଼, ଯାଜପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଏ ବର୍ଷ ଏହି ହାର ଶହେ ପ୍ରତିଶତ ଟପିଛି। ଯାଜପୁରରେ ସର୍ବାଧିକ ୧୮୫ ପ୍ରତିଶତ, ପଛକୁ ଦେବଗଡ଼ ଜିଲ୍ଲାରେ ୧୩୩.୩୩% ଏବଂ ଝାରସୁଗୁଡ଼ାରେ ୧୧୫.୩୮% ରହିଛି। ଏହାଛଡ଼ା ଗଜପତି, ଜଗସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ମାଲକାନଗିରି ଏବଂ ନୂଆପଡ଼ା ଭଳି ଜିଲ୍ଲାରେ ମୃତ୍ୟୁହାର ୫୦%ରୁ ଅଧିକ ରହିଛି। କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ମୁତାବକ, ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫ହଜାର ୪୬୭ଜଣଙ୍କ ମୃତ୍ୟୁ ଘଟିଥିଲା। ଯାହାକି ୨୦୨୧ ମସିହା ତୁଳନାରେ ୭.୬% ଅଧିକ ରହିଛି।

ଏହାକୁ ଦୃଷ୍ଟିରେ ରଖି ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାଠାରୁ ଆରମ୍ଭ କରି ରାସ୍ତାର ଇଂଜିନିୟରିଂର ତ୍ରୁଟି ଉପରେ ପଦକ୍ଷେପ ନେବା, ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ଏନ୍‌ଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତି କମ୍‌ରେ ମାସକୁ ଥରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି(ଡିଆର୍‌ଏସ୍‌ସି) ବୈଠକ କରି ଜିଲ୍ଲାର ସଡ଼କ ସୁରକ୍ଷା ସ୍ଥିତି ଉପରେ ସମୀକ୍ଷା କରିବାକୁ କୁହାଯାଇଛି। ଏହାବ୍ୟତୀତ ସହରର ପ୍ରମୁଖ ରାସ୍ତା, ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ଲଗାଇବା, ରିଫ୍ଲେକ୍ଟର, ସାଇନ୍‌-ଏଜ୍‌ ଆଦି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ କୁହାଯାଉଛି। ତେଣୁ ସମସ୍ତ ଡିଆର୍‌ଏସ୍‌ସି ଆସନ୍ତା ୨୦ ତାରିଖ ସୁଦ୍ଧା ପାଣ୍ଠି ବାବଦକୁ ନିଜ ନିଜର ତାଲିକା ଦେବାକୁ କୁହାଯାଇଛି। ଆର୍‌ଟିଓ ଅଧିକାରୀମାନେ ନିଜ ଜିଲ୍ଲାର ତାଲିକା ସଂଗ୍ରହ ଦିଗରେ ସହଯୋଗ କରିବେ।‌ ସେମାନେ ଏହି ତାଲିକା ଠିକ୍‌ ସମୟରେ ପାଇଛନ୍ତି କି ନାହିଁ ନିଶ୍ଚିତ କରିବେ।

Get real time updates directly on you device, subscribe now.