ପାଣି ବି ଦିଶୁଛି ରକ୍ତ ଭଳି..ଭୋକ ଶୋଷ ସବୁ ବନ୍ଦ; ଉଦ୍ଧାରକାରୀଙ୍କ ଏମିତି ଅବସ୍ଥା, ଚାଲିଛି ମାନସିକ ଚିକତ୍ସା

ଭୁବନେଶ୍ୱର/ନୂଆଦିଲ୍ଲୀ : ହଜାର ହଜାର ଲୋକଙ୍କୁ ଉଦ୍ଧାର କଲେ । କେତେ ଯେ ମୃତଦେହକୁ ଉଠାଇ ଟ୍ରକ୍ ଭର୍ତ୍ତି କଲେ ଏବଂ ଆହତଙ୍କୁ ଚିକତ୍ସା ପାଇଁ ପଠାଇଲେ, ତାହାର ହିସାବ ନାହିଁ । କିନ୍ତୁ ଏବେ ନିଜେ ଚିକତ୍ସାଧୀନ ଅବସ୍ଥାରେ ରହିଛନ୍ତି । ମନରୁ ଲିଭୁନି ସେଇ ସବୁ ଦୃଶ୍ୟ । ପାଣି ବି ରକ୍ତ ଭଳି ଦିଶିଛୁ । ଭୋକ ଶୋଷ ସବୁ ବନ୍ଦ ହୋଇଗଲାଣି । ଆଖି ସମ୍ନାରେ ନାଚୁଛି ସେଇ ଭୟଙ୍କର ଦୁର୍ଘଟଣା । କାନକୁ ଶୁଭୁଛି ସେଇ ଆର୍ତ୍ତ ଚିକ୍ରାର, ଆଖିକୁ ଦିଶୁଛି ସେଇ କୁଢ କୁଢ ଶବ ଓ ଆହତଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା । ହୋ ହାଲ୍ଲା କାନ୍ଦ ବୋବାଳିରେ ଫାଠି ପଡୁଛି । କିଏ କହୁଛି ମୋ ଛୁଆକୁ ବଞ୍ଚାଇ ଦିଅ ତ କିଏ କହୁଛି ମୋ ବାପା ମା ପରିଜନ ଲୋକଙ୍କୁ ଖୋଜି ବାହାର କରିଦିଏ । ଓଃ… କି ଯନ୍ତ୍ରଣା । ସହି ହେଉନାହିଁ ସେ ସବୁ । ଏଭଳି କିଛି ପରିସ୍ଥିତି ସାମ୍ନା କରୁଛନ୍ତି ଉଦ୍ଧାରକାରୀ ଦଳର ଜଣେ କର୍ମଚାରୀ । ଯାହାଙ୍କୁ ଯୋଦ୍ଧା କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ । ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କଲେ । ହେଲେ ଆଜି ସେ ନିଜେ ମାନସିକ ରୋଗୀ ।

ଏନଡିଆରଏଫ ମହାନିର୍ଦ୍ଦେଶକ ଅତୁଲ କରୱାଲଙ୍କ ମଙ୍ଗଳବାର ଏକ ସୂଚନା ଦେଇ କହିଛନ୍ତି ଯେ, ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପରେ ଏନଡିଆରଏଫ୍ ଟିମ୍ ରେ ସାମିଲ ଥିବା କର୍ମଚାରୀଙ୍କ ମାନସିକ ସ୍ଥିତି ଭଲ ନାହିଁ । ସେମାନଙ୍କୁ କାଉନସିଲିଂ କରାଯଉଛି । କାହାକୁ ପାଣି ରକ୍ତ ଭଳି ଦିଶୁଛି ତ ଅନ୍ୟ କାହାର ଭୋକ ଶୋଷ ବନ୍ଦ ହୋଇଗଲାଣି । ତେଣୁ ସେମାନଙ୍କର ମାନସିକ ସ୍ଥିତି ଠିକ୍ ରହିବା ଅତ୍ୟନ୍ତ ଜରୁରୀ । ସୁସ୍ଥ ମାନସିକତା ସେମାନଙ୍କ ଅତ୍ୟନ୍ତ ଜରୁରୀ । ସେମାନଙ୍କ ମାନସିକ ସ୍ଥିତି ଠିକ୍ ରହିଲେ ହିଁ ସୁସ୍ଥ ଜୀବନ ବଞ୍ଚିପାରିବେ ।