ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ୨୦ହଜାର ୭୯୨ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯିବ । କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଖରିଫ ଋତୁରେ ଚଳିତବର୍ଷ ୧୧୬ ଲକ୍ଷ ୪୨ହଜାର ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ତୈଳବୀଜ, ପନିପରିବା ଫସଲ ଓ ମସଲା ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ୱାଭାବିକ ମୌସୁମୀ ବର୍ଷାର ପୂର୍ବାନୁମାନ ଅନୁଯାୟୀ ଏହିସବୁ ଫସଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ଲକ୍ଷ ହେକ୍ଟର ଧାନ ଜମିରେ ଫସଲର ବିବିଧିକରଣ କରାଯାଇ ଅଧିକ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ମିଲେଟ୍ ମିଶନ, ଫସଲର ବିବିଧିକରଣ, ସମନ୍ୱିତ କୃଷି, ଫାର୍ମପଣ୍ଡ ପ୍ଲସ୍, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯାନ୍ତ୍ରିକୀକରଣରେ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ, ଜଳନିଧି ଓ ସୌର ଜଳନିଧି ଆଦିକୁ ଗୁରୁତ୍ୱ ଦିଆଯାଇଛି ।