ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶିତ
ନୂଆଦିଲ୍ଲୀ: ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶ ପାଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକାରୀ ଯୋଜନାକୁ ପ୍ରକାଶ କରାଯାଇଛି ।
ଜୁନ ୧୭ ତାରିଖ ବିଶ୍ୱ ମରୁଭୂମି ବିସ୍ତାର ନିରୋଧ ଓ ମରୁଡି ପ୍ରତିରୋଧ ଦିବସ ଭାବେ ପାଳିତ ହୋଇଛି। ଏହି ଅବସରରେ ଡେରାଡୁନସ୍ଥିତ ଭାରତୀୟ ଜଙ୍ଗଲ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍ଆର୍ଇ) ସଦର କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସମୂହର ମହାନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଚନ୍ଦ୍ରପ୍ରକାଶ ଗୋୟଲ (ଆଇଏଫ୍ଏସ୍) ଏହି ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ ୨୦୨୩କୁ ଉନ୍ମୋଚନ କରିଥିଲେ ।
ବିଶ୍ୱର ଯେଉଁ ଅଳ୍ପ କେତେକ ଦେଶରେ ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ହେଉଛି ସେଥିମଧ୍ୟରୁ ଭାରତ ଅନ୍ୟତମ । ଏହି କାମ କରିବା ପାଇଁ କାର୍ଯ୍ୟକାରୀ ଯୋଜନାର ବିଶେଷ ଆବଶ୍ୟକତା ରହିଛି । ବିଭିନ୍ନ କାରଣରୁ ଭାରତରେ ଜଙ୍ଗଲର ସୁପରିଚାଳନା ଦରକାର ହୋଇଥାଏ । ପ୍ରାକୃତିକ ଐତିହ୍ୟର ସଂରକ୍ଷଣ, ପରିବେଶଗତ ସ୍ଥିରତା ରକ୍ଷା, ମୃତ୍ତିକାକ୍ଷୟ ରୋକିବା, ଜଳାଗମ ଅଞ୍ଚଳରେ ବୃକ୍ଷରାଜିର ସୁରକ୍ଷା, ପାହାଡ ପର୍ବତ ଘେରା ସମତଳ ଅଞ୍ଚଳ ବା ଡୁନ୍ଗୁଡିକର ଆକାର ବୃଦ୍ଧିକୁ ରୋକିବା, ଲୋକଙ୍କ ସହଯୋଗରେ ଗଛ ଓ ଜଙ୍ଗଲ ଆଚ୍ଛାଦନ ବଢାଇବା ଏବଂ ଜଙ୍ଗଲର ଉତ୍ପାଦକତା ବୃଦ୍ଧି କରିବା ଏସବୁ କାରଣ ମଧ୍ୟରୁ ଅନ୍ୟତମ । ଏହାର ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ନ ହେଲେ ଜଙ୍ଗଲ କ୍ଷୟ ହେବାର ସମ୍ଭାବନା ଅଧିକ ରହିଛି । ଭାରତ ସହିତ ସମଗ୍ର ବିଶ୍ୱରେ ଯେଉଁ ବିଜ୍ଞାନ ଭିତ୍ତିକ ଜଙ୍ଗଲ ପରିଚାଳନା କାମ ଚାଲିଛି । ସେଥିରେ ନୂଆ ଉପାୟ, ଦୃଷ୍ଟିକୋଣ, ନୂତନ ଟେକ୍ନୋଲୋଜି ତଥା ନୂଆ ନୂଆ କଥା ସବୁ କରାଯାଇଛି । ତେଣୁ ଜଙ୍ଗଲର ସୁରକ୍ଷା ସହିତ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଆମକୁ ଜଙ୍ଗଲର ସୁପରିଚାଳନା କରିବାକୁ ପଡିବ ।
ଜାତୀୟ କାର୍ଯ୍ୟକାରୀ ଯୋଜନା (ନେଶନାଲ ୱାର୍କ ପ୍ଳାନ) କୋଡ୍-୨୦୨୩ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ପାଇଁ ଏକ ପ୍ରମୁଖ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ । ଏହି ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ସବୁ ବନଖଣ୍ଡ ବା ଫରେଷ୍ଟ ଡିଭିଜନରେ ଜଙ୍ଗଲ ପରିଚାଳନା କାମ କାର୍ଯ୍ୟକାରୀ ହେବ । ଏହି ବିଜ୍ଞାନଭିତ୍ତିକ ପରିଚାଳନା କାର୍ଯ୍ୟ କିପରି କରାଯିବ ତାହା କୋଡ୍ -୨୦୨୩ରେ ସବିଶେଷ ଉଲ୍ଲେଖ କରାଯାଇଛି । ଏଥିରେ ଜଙ୍ଗଲର ଆକାର ବୃଦ୍ଧି, ନୂଆ ଜଙ୍ଗଲ ସୃଷ୍ଟି ସହିତ ବୃକ୍ଷରୋପଣ, ଜଙ୍ଗଲର ରକ୍ଷଣାବେକ୍ଷଣ, ଏହାର ଜୈବ ବିବିଧତାର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳ ସମ୍ପଦର ସୁରକ୍ଷା ଏବଂ ଜଙ୍ଗଲର ଉତ୍ପାଦକତା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଜଙ୍ଗଲ ପରିଚାଳନାରେ ବନ୍ୟ ସମ୍ପଦର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଲାଭକୁ ଅତୁଟ ରଖି ଏଥିପାଇଁ ଉପଯୁକ୍ତ ନୀତି, ଆଇନଗତ ଓ ଆନୁଷ୍ଠାନିକ ଢାଞ୍ଚା ପ୍ରସ୍ତୁତ କରିବାକୁ ମଧ୍ୟ ଏହି ବିଜ୍ଞାନଭିତ୍ତିକ ପରିଚାଳନାରେ ଗୁରୁତ୍ୱ ଦିଆଯାଇଛି ।