ବିଲ୍ଡିଂ ମଧ୍ୟ ଦେଇ ଯାଉଛି ଟ୍ରେନ୍ ହେଲେ କାନରେ ବାଜୁନି ଇଂଜିନ ଓ ହର୍ଣ୍ଣର ଶବ୍ଦ, କେଉଁ ଦେଶରେ ରହିଛି ଏପରି ସୁବିଧା ?
ନୂଆଦିଲ୍ଲୀ:ଟ୍ରେନ୍ ପୁଣି ଆପଣଙ୍କୁ ଘର ପାଖରେ ଛାଡିବ ଏ କଥା ଆପଣ ଚିନ୍ତା କରିପାରୁଛନ୍ତି । ହଁ ଏହା ସତ । ଚୀନ୍ରେ ଏହା ସମ୍ଭବ ହୋଇଛି । ଚୀନ୍ ଏପରି ଟ୍ରେନ୍ ନିର୍ମାଣ କରିଛି ଯାହା ଲୋକଙ୍କ ବିଲ୍ଡିଂ ଦେଇ ଯାତାୟତ କରୁଛି । ଏହିସବୁ ବିଲ୍ଡିଂରେ ଲୋକ ବି ରହୁଛନ୍ତି । ଏବେ ଆପଣ ଭାବିବେ ଟ୍ରେନ୍ ଲାଇନ୍ ପାଖରେ ରହିବା ଯେତେବେଳେ ଅସମ୍ଭବ ମନେ ହୁଏ ସେତେବେଳେ ବିଲ୍ଡିଂ ଦେଇ ଟ୍ରେନ୍ ଯାତାୟତ କରୁଥିବ ଆଉ ସେହି ବିଲ୍ଡିଂରେ ଲୋକମାନେ ରହୁଥିବେ ଏହା କଣ କେବେ ସମ୍ଭବ । କିନ୍ତୁ ଚୀନ୍ ଏହା ସମ୍ଭବ କରି ଦେଖାଇଛି ।
ଅତୀତରେ ଚୀନ୍ ଏପରି ବହୁ ପ୍ରଡକ୍ଟ ଓ ଟେକ୍ନୋଲଜି ଆଣିଛି ଯାହା ଦୁନିଆକୁ ଚମକାଇ ଦେଇଛି । ଚୀନ୍ ର ରେଳ ଟେକନିକ୍ ବି ସାରା ବିଶ୍ୱକୁ ଚମକାଇ ଦେଇଛି । ନୂତନ ଓ ଅତ୍ୟାଧୁନିକ ରେଳ ଟେକନିକ୍ ସାହାଯ୍ୟରେ ଚୀନ୍ ଏପରି କିଛି ନିର୍ମାଣ କରିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଚୀନ୍ ୧୯ ମହଲା ବିଶିଷ୍ଟ ଆବାସିକ କୋଠା ମଧ୍ୟ ଦେଇ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିଛି । ଏହି ବିଲ୍ଡିଂରେ ଲୋକ ରହୁଛନ୍ତି ଓ ଏବେ ଏହି ବିଲ୍ଡିଂ ଦେଇ ରେଳ ଷ୍ଟେସନ ବି ନିର୍ମାଣ ହୋଇ ସାରିଛି । ଏବେ ଏହି ବିଲ୍ଡିଂ ଦେଇ ଦୈନିକ ଟ୍ରେନ୍ ଯାତାୟତ କରୁଛି । ବିଶ୍ୱ ଲାଗି ଏହା ନୂଆ ହେଲେ ବି ଚୀନ୍ କିଛି ବର୍ଷ ତଳୁ ଏହି ସୁବିଧା ଆରମ୍ଭ କରି ସାରିଛି ।
ଚୀନ୍ ର ମାଉଣ୍ଟେନ୍ ସିଟି ଚକୁଇଙ୍ଗରେ ରହିଛି ବଡ ବଡ ବିଲ୍ଡିଂ । କିନ୍ତୁ ଏଠାରେ ସ୍ଥାନର ଅଭାବ ରହିଛି । ତେଣୁ ବିକାଶ ଲାଗି ଏହି ଅଞ୍ଚଳରେ ରେଳ ଟ୍ରାକ୍ ତ ନିର୍ମାଣ ହେବାର ଥିଲା । କିନ୍ତୁ ଏହି ରେଳ ଟ୍ରାକ୍ ନିର୍ମାଣ ହେବା ସମୟରେ ରାସ୍ତାରେ ପଡିଗଲା ଏକ ୧୯ ମହଲା ବିଶିଷ୍ଟ ବିଲିଡିଂ । ଚୀନ୍ ର ରେଲୱେ ଅଧିକାରୀମାନେ ଏହାରି ମଧ୍ୟରେ ରାସ୍ତା ବାହାର କରିନେଲେ ଯାହା ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଲା । କୌଣସି ବିଲ୍ଡିଂ ମଝି ଦେଇ ଟ୍ରେନ୍ ଯାତାୟତ କରିବା ଅସମ୍ଭବ ମନେ ହେଉଥିଲେ ବି ଚୀନ୍ ର ଇଂଜିନିୟର ମାନେ ଏହା କରି ଦେଖାଇଥିଲେ ।
ତେବେ ଏହି ଟ୍ରାକ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯାହାକୁ ନେଇ ଲୋକଙ୍କର ବି କୌଣସି ଅସୁବିଧା ହେଉନି ବରଂ ଲୋକମାନେ ଘରୁ ବାହାରି ସିଧା ଟ୍ରେନରେ ବସିଯାଉଛନ୍ତି । ତେବେ ଟ୍ରେନରୁ ଶବ୍ଦ ନ ହେବା ଲାଗି ଚୀନ୍ ଟ୍ରେନ୍ ରେ ସାଇଲେନ୍ସିଂ ଟେକନିକ୍ ବ୍ୟବହାର କରିଛି ।