“ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ, ଆମେରିକା ପ୍ରତିଶ୍ରୁତିବଦ୍ଧ”: ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ
ନୁଆଦିଲ୍ଲୀ: ତିନି ଦିନିଆ ଆମେରିକା ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ରେ ଭବ୍ୟ ସ୍ୱାଗତ କରାଯାଇଛି। ଏଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବାଇଡେନଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ପରେ ବିଶ୍ୱ ଏକ ଭିନ୍ନ ଦିଗରେ ଯାଉଥିବା ବେଳେ ଭାରତ ଏବଂ ଆମେରିକା ମିଳିତ ଭାବେ ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ଭାରତ ଏବଂ ଆମେରିକାର ସମାଜ ଏବଂ ଅନୁଷ୍ଠାନ ଗୁଡ଼ିକ ଗଣତାନ୍ତ୍ରୀକ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଏବଂ ଦୁଇ ଦେଶରେ ଭିନ୍ନତା ମଧ୍ୟରେ ଏକତା ପାଇଁ ଦୁଇ ଦେଶ ଗର୍ବ କରନ୍ତି ବୋଲି ହ୍ୱାଇଟ୍ ହାଉସ୍ ଲନ୍ରେ ସେରିମୋନିଆଲ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ।
ଏହା ସହିତ ପ୍ରଧାନମନ୍ତ୍ରୀ କହିଥିଲେ କି ସେ ଅନେକ ଥର ହ୍ୱାଇଟ୍ ହାଉସ୍କୁ ଆସିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସ୍ର ଦ୍ୱାର ଅଧିକ ସଂଖ୍ୟକ ଭାରତ-ଆମେରିକୀୟ କମ୍ୟୁନିଟି ପାଇଁ ଖୋଲିଛି । ଭାରତୀୟମାନେ ସେମାନଙ୍କର ଦକ୍ଷତା, କଠିନ ପରିଶ୍ରମ ଏବଂ କାର୍ଯ୍ୟପ୍ରତି ପ୍ରତିବଦ୍ଧତା ବଳରେ ଆମେରିକାରେ ଦେଶର ମର୍ଯ୍ୟାଦା ବୃଦ୍ଧି କରୁଛନ୍ତି । ଯାହା ଭାରତ ଏବଂ ଆମେରିକାର ଦୃଢ଼ ସମ୍ପର୍କର ଏକ ବଳିଷ୍ଠ ମୂଳଦୁଆ ଅଟେ । ଏହି ଅବସରରେ ସେ ରାଷ୍ଟ୍ରପତି ବାଇଡେନ ଏବଂ ଡା. ଜିଲ୍ ବାଇଡେନ୍ଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ ।
“ଭାରତ ଏବଂ ଆମେରିକା ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନକୁ ସମାଧାନ କରିବା, ସ୍ୱାସ୍ଥ୍ୟସେବା ବିସ୍ତାର କରିବା ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପ୍ରକ୍ରିୟାରେ ଅଛନ୍ତି । ଆମେରିକା, ଭାରତ ଏବଂ ବିଶ୍ୱ ପାଇଁ ଏହି ସବୁ ବିଷୟ ଅତି ଗୁରୁତ୍ୱପୁର୍ଣ୍ଣ । ଆଜି ଆମେ ଯେଉଁ ନିଷ୍ପତ୍ତି ନେଉଛୁ ତାହା ଭବିଷ୍ୟତକୁ ପ୍ରଭାବିତ କରିବ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି ।
“ଆଜି ଅପରାହ୍ନରେ ମୋତେ ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବାର ସୁଯୋଗ ମିଳିବ । ମୁଁ ଏଥିପାଇଁ କୃତଜ୍ଞ … ମୁଁ ଚାହେଁ ଯେ ଭାରତର ତ୍ରୀରଙ୍ଗା ତଥା ଆମେରିକାର ଜାତୀୟପତାକା ନୂତନ ଉଚ୍ଚତାକୁ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସର ଦୁଇଟି ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ, ଯାହା ପରେ ହ୍ୱାଇଟ ହାଉସରେ ରାତ୍ରୀ ଭୋଜନ ଆୟୋଜିତ ହେବ । ଆମେରିକାର ଦୁଇ ଗୃହର ମିଳୀତ ଅଧିବେଶନକୁ ସମ୍ବଧିତ କରିବା ହେଉଛି ଜଣେ ଭାରତୀୟ ନେତାଙ୍କ ପାଇଁ ପ୍ରଥମ ଏବଂ ବିଶ୍ୱର ଅନ୍ୟମାନଙ୍କ ପାଇଁ କ୍ୱଚିତ୍ ।