fbpx

ସାବଧାନ! ପୁଣିଥରେ ଭୟଙ୍କର ରୂପରେ ଫେରୁଛି ଏହି ଭାଇରସ: ୧୩ ବର୍ଷର ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: କେରଳର କୁଟ୍ଟୀପୁରମ ଅଞ୍ଚଳରେ ପ୍ରବଳ ଜ୍ୱର ପରେ ପ୍ରାଣ ହରାଇଛି ଜଣେ ୧୩ ବର୍ଷର ଶିଶୁ । ତେବେ ଏହି ମୃତ୍ୟୁ ପରେ ଏକ ଭୟାନକ ତଥ୍ୟ ଦେଇଛନ୍ତି ମେଡିକାଲର କର୍ତ୍ତୃପକ୍ଷ । କିଛି ଦିନରୁ ଶାନ୍ତ ପଡି ଯାଇଥିବା ଖତରନାକ ଭାଇରସ ଯୋଗୁଁ ପିଲାଟି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ଡାକ୍ତରଙ୍କ କହିବା ଅନୁସାରେ, ପୁଣିଥରେ ନିଜ ରୂପକୁ ଫେରସ୍ତ କରୁଛି ଏହି ଭାଇରସ । ଖୁବଶୀଘ୍ର ଏହା ଆହୁରି ଭୟଙ୍କର ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଶିଶୁଟି କିଛି ଦିନ ଜ୍ୱରରେ ପଡିବାରୁ ତାକୁ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିବା ସହିତ ଭୟାନକ ଭାଇରସ ବିଷୟରେ ସୂଚନା ଦେଇଛନ୍ତି । ଡାକ୍ତର କହିଛନ୍ତି ଯେ, ଏଚ୧ଏନ୧ ଭାଇରସ ସଂକ୍ରମଣ ଯୋଗୁଁ ଏହି ଶିଶୁଟିର ମୃତ୍ୟୁ ଘଟିଛି । ତେଣୁ ଏହି ସଂକ୍ରମଣ ଯୋଗୁଁ ହେଉଥିବା ଜ୍ୱର ସହିତ ଅନ୍ୟାନ୍ୟ ଲକ୍ଷଣକୁ ନେଇ ସତର୍କ ରହିବା ପାଇଁ ଅପିଲ କରିଛନ୍ତି ମେଡିକାଲ ଅଧିକାରୀ । କେବଳ ଏଚ୧ଏନ୧ ନୁହେଁ, ଏହାସହିତ ଡେଙ୍ଗୁ ଏବଂ ଲେପ୍ଟୋସ୍ପାଇରୋସିସ ନାମକ ରୋଗ ଆଦିରୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ନିକଟରେ ଏହି ଜିଲ୍ଲାରୁ ୨ ଜଣ ବ୍ୟକ୍ତି ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ସାଧାରଣତଃ ଥଣ୍ଡା ଏବଂ ଜ୍ୱରରୁ ଏହାର ଲକ୍ଷଣ ଆରମ୍ଭ ହୋଇଥାଏ । ଏହା ଧିରେ ଧିରେ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ସଂକ୍ରମିତ କରିଥାଏ ।

୨୦୦୯ ମସିହାରେ ମନୁଷ୍ୟ ଦେହରେ ପ୍ରଥମେ ସ୍ୱାଇନ ଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୦୧୦ରେ ଏହାକୁ ମହାମାରୀ ଭାବରେ ଘୋଷଣା କରିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାର ଲକ୍ଷଣ:

ସମୟ ସମୟରେ ଜ୍ୱର ହେବା, ଥଣ୍ଡା ଲାଗିବା କିମ୍ବା ଝାଳ ବହିବା, କାଶ ବା ଗଳା ଖରାପ ହେବା, ଆଖି ଲାଲ ପଡିବା, ଶରୀରପୀଡା ସହ ମୁଣ୍ଡବିନ୍ଧା ଏବଂ ଥକ୍କାପଣ ଓ ଦୁର୍ବଳତା ଭଳି ଲକ୍ଷଣ ଏହି ରୋଗର ସାଧାରଣ ଲକ୍ଷଣ ହୋଇଥାଏ । ଶରୀରରେ ଏଭଳି କିଛି ଯନ୍ତ୍ରଣା ଅନୁଭବ କଲେ ଯଥାଶୀଘ୍ର ମେଡିକାଲରେ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.