fbpx

ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକ ବାଧ୍ୟତାମୂଳକ: ସମସ୍ତ ବିଭାଗକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର । ଏଣିକି ସମସ୍ତ ସରକାରୀ ଅଫିସମାନଙ୍କରେ ବାୟୋମେଟ୍ରିକ ବାଧ୍ୟତାମୂଳକ ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀମାନେ ଅଫିସକୁ ଆସିବା କ୍ଷେତ୍ରରେ ଅବହେଳା କରୁଥିବା ଖବର ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଏହି ନିୟମକୁ ସଠିକ୍ ଭାବେ ପାଳନ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି ।

କର୍ମଚାରୀଙ୍କର ଯିବା, ଆସିବାର ସଠିକ ସମୟକୁ ବାୟୋମେଟ୍ରିକ ସିଷ୍ଟମ ଦ୍ୱାରା ରେକର୍ଡ କରାଯିବ । ଯେଉଁ କର୍ମଚାରୀମାନେ ଅଫିସକୁ ବିଳମ୍ବରେ ଆସିବେ ବା ଅଫିସରୁ ଶୀଘ୍ର ଚାଲିଯିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆସିବା ପରେ ଏବେ ସରକାରୀ କର୍ମଚାରୀଙ୍କର ଚିନ୍ତା ବଢ଼ିଯାଇଛି । ପୂର୍ବରୁ ଯେଉଁମାନେ ବିଳମ୍ବରେ ଅଫିସ ଯାଉଥିଲେ ବା ଅଫିସ ସମୟ ପୂର୍ବରୁ ଫେରି ଘରକୁ ଚାଲିଯାଉଥିଲେ, ତାହା ଆଉ ଚଳିବ ନାହିଁ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ମଧ୍ୟ ରାଜ୍ୟର ଡାକ୍ତରଖାନାମାନଙ୍କରେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ ନେଇ ଗତ ମାର୍ଚ୍ଚ ମାସରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଡାକ୍ତର, ନର୍ସଙ୍କ ସହିତ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଡ୍ୟୁଟିକୁ ଯିବା ଓ ଆସିବା ସମୟକୁ ବାୟୋମେଟ୍ରିକ ମେଶିନରେ ରେକର୍ଡ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ୨୪ ଘଣ୍ଟିଆ ଉପସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.