fbpx

SAFF Championship 2023: ଫାଇନାଲରେ ଭାରତ, ପେନାଲ୍ଟି ସୁଟ୍‌ଆଉଟ୍‌ରେ ଲେବାନନ୍‌ ୪-୨ ରେ ପରାସ୍ତ

ନୁଆଦିଲ୍ଲୀ: ସାଫ୍ ଚାମ୍ପିୟନସିପ୍ ସେମିଫାଇନାଲରେ ଭାରତ ଏବଂ ଲେବାନନ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି । ପେନାଲ୍ଟି ସୁଟ୍‌ଆଉଟ୍‌ରେ ଭାରତ ୪-୨ ଗୋଲ୍‌ରେ ଲେବାନନ୍‌କୁ ହରାଇ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି । ବାଙ୍ଗଲୋରର ଶ୍ରୀ କାନ୍ତୀରାଭା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନିର୍ଦ୍ଧାରିତ ୯୦ ମିନିଟ୍ ସମୟରେ କୌଣସି ଟିମ୍ ଗୋଲ୍ କରିବାରେ ବିଫଳ ହୋଇଥିଲେ ।

ଏହାପରେ ଦୁଇ ଟିମ୍‌କୁ ଅତିରିକ୍ତ ୩୦ ମିନିଟ୍ ସମୟ ମିଳିଥିଲା । କିନ୍ତୁ ଏହି ସମୟରେ ମଧ୍ୟ କୌଣସି ଗୋଲ୍ ହୋଇ ନଥିଲା । ଫଳରେ ମ୍ୟାଚ୍ ପେନାଲ୍ଟି ସୁଟ୍ ଆଉଟ୍‌କୁ ଯାଇଥିଲା । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହିଁ । ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ, ପରେ ନେପାଳକୁ ହରାଇଥିଲା ଭାରତ । ଏହାପରେ ଶେଷ ଗ୍ରୁପ୍ ମ୍ୟାଚ୍‌ରେ ଭାରତ କୁଏତ୍ ସହିତ ୧-୧ରେ ଡ୍ର ରଖିଥିଲା । ଏବେ ଲେବନନ୍‌କୁ ହରାଇ ଭାରତ ସାଫ୍ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିଛି ।

ଗତମାସରେ ଓଡ଼ିଶାରେ ଖେଳାଯାଇଥିବା ଇଣ୍ଟରକଣ୍ଟିନେଣ୍ଟାଲ ମ୍ୟାଚ୍‌ରେ ଭାରତ ଲେବାନନ୍ ମଧ୍ୟରେ ମ୍ୟାଚ୍ ବିନା କୌଣସି ଗୋଲ୍‌ରେ ଶେଷ ହୋଇଥିଲା । ଏହାପରେ ଫାଇନାଲରେ ଭାରତ ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଟାଇଟଲ୍ ଜିତିଥିଲା । ଭାରତ ପୁଣିଥରେ ଲେବନନ୍‌କୁ ହରାଇବାରେ ସଫଳ ହୋଇଛି ।

Get real time updates directly on you device, subscribe now.