fbpx

୩ ବର୍ଷର ଶିଶୁକନ୍ୟାକୁ ନଦୀରେ ଫିଙ୍ଗି ହତ୍ୟା : ଘଟଣାର ୧୦ ବର୍ଷ ପରେ ମହାରଷ୍ଟ୍ରରେ ଧରା ପଡିଲା ଫେରାର ବାପା

କଟକ : ନିଜ ତିନି ବର୍ଷର ଶିଶୁକନ୍ୟାକୁ ବୈତରଣି ନଦୀକୁ ଫିଙ୍ଗି ହତ୍ୟା କରି ଫେରାର ହୋଇଥିବା ବାପାକୁ ୧୦ ବର୍ଷ ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିଲା । ଅଭିଯୁକ୍ତ ବାପା ପ୍ରଶାନ୍ତ କୁମାର ସାହାଣୀକୁ ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।

ସୂଚନା ଅନୁଯାୟୀ, କେନ୍ଦୁଝରର ପ୍ରଶାନ୍ତ କୁମାର ସାହାଣୀ ପୂଜା ସାହାଣୀକୁ ୨୦୧୦ ମସିହାରେ ବିବାହ କରିଥିଲେ । ବିବାହ ପରେ ଦମ୍ପତି ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହୁଥିଲେ । ସେଠାରେ ପ୍ରଶାନ୍ତ ଏକ ଘରୋଇ କାରଖାନାରେ ଅଗ୍ନିଶମ କର୍ମଚାରୀ ଭାବେ କାମ କରୁଥିଲେ । ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହେଉଥିଲା । ଏସବୁ ଭିତରେ ପୂଜା ୨୦୧୧ ମସିହାରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଅଗଷ୍ଟ ୧୮ ୨୦୧୩ ମସିହାରେ ସେମାନେ ନିଜ ଗାଁ କେନ୍ଦୁଝର ଜିଲ୍ଲାର ଫକିରପଡା ଆସିଥିବା ବେଳେ, ସେମାନଙ୍କ ମଧ୍ୟରେ ଫୁଣି କୌଣସି କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ ହେଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କ ୩ବର୍ଷର ଛୁଆକୁ ସାଇକେଲରେ ନେଇ ବୈତରଣୀ ନଦୀରେ ଫିଙ୍ଗି ଥିଲେ । ଏନେଇ ପୂଜା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅକ୍ଟୋବର ୧୫, ୨୦୧୩ରେ ମାମଲା ରୁଜୁ କରାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପାଖାପାଖି ଏକ ବର୍ଷ କାଳ ଅଭିଯୁକ୍ତକୁ ଖୋଜିବା ପରେ ମଧ୍ୟ ଆନନ୍ଦପୁର ପୋଲିସ ଅଭିଯୁକ୍ତକୁ ପାଇ ନଥିଲା ।

ପରବର୍ତ୍ତୀ ସମୟରେ ପୂଜା ହାଇକୋର୍ଟର ଦ୍ୱାରସ୍ତ ହେଲେ । ହାଇକୋର୍ଟର ନିର୍ଦ୍ଦେଶ ବଳରେ ଏହି ମାମଲାଟିକୁ ଅଗଷ୍ଟ ୨୮ ୨୦୧୪ରେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରା ଯାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କ୍ରାଇମବ୍ରାଞ୍ଚ ଟିମ୍ ବିଳାସପୁର, ରାଇପୁର, ପୁନେ, ଶିକାରପୁର ଇତ୍ୟାଦି ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ଅଭିଯୁକ୍ତଙ୍କ କୌଣସି ସୁରାଗ ପାଇ ପାରିନଥିଲା । ଅଭିଯୁକ୍ତ ଜଣକ ମହାରାଷ୍ଟ୍ରରେ ରହିଥିବାର ଏକ ସୁରାଗ ପାଇ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଚଳିତ ବର୍ଷ ଜୁନ ୨୮ରେ ସେଠାରେ ଚଢାଉ କରିଲେ । ପରବର୍ତ୍ତୀ ଦିନ ଅର୍ଥାତ ଜୁନ ୨୯ରେ କ୍ରାଇମବ୍ରାଞ୍ଚର ଟିମ୍ ତାକୁ ଗିରଫ କରି କଟକ ଆଣିଥିଲା । ସେଠାରେ ଅଭିଯୁକ୍ତକୁ ପଚରା ଉଚରା କରିଥିବା ବେଳେ ଅଭିଯୁକ୍ତ ଜଣକ ସତ କହି ନିଜ ଦୋଷ ସ୍ୱୀକାର କରିଲା । ଆସନ୍ତାକାଲି ଆନନ୍ଦପୁର ଏସଡିଜେଏମଙ୍କ କୋର୍ଟରେ ତାକୁ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚର ସିନିୟର ଅଫିସର କହିଛନ୍ତି ।

Get real time updates directly on you device, subscribe now.