‘ଓଡ଼ିଶା ଭଳି ପୁଣି ହେବ ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା’: ଧମକପୂର୍ଣ୍ଣ ଚିଠିକୁ ନେଇ ବଢ଼ିଲା ଆଶଙ୍କା, ଆରମ୍ଭ ହେଲା ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ୍ ମାସ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଦୁଃଖ ଆଜି ବି ମନରୁ ଲିଭି ନାହିଁ । ଆଜି ବି ଅନେକ ମୃତକଙ୍କ ମୃତଦେହ ଚିହ୍ନଟ ହୋଇ ନପାରି ସଂରକ୍ଷିତ ହୋଇ ରହିଛି । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତ ଯାତ୍ରୀମାନେ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କିଛି ଯାତ୍ରୀ ନିଜର ଅଙ୍ଗ ହରାଇଥିବା ବେଳେ ଆଉ କିଛି ମାନସିକ ରୋଗୀ ପାଲଟି ଯାଇଛନ୍ତି ।

ତେବେ ବାହାନଗା ଟ୍ରାଜେଡିକୁ ଗୋଟିଏ ମାସ ପୂରିବା ପରେ ଏହା ମଧ୍ୟରେ ଆସିଛି ପୁଣି ଏକ ଚିନ୍ତାଜନକ ଖବର । ଓଡ଼ିଶା ଭଳି ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟିବା ନେଇ ଆସିଛି ଏକ ଧମକପୂର୍ଣ୍ଣ ଚିଠି । ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ଏପରି ଦୁର୍ଘଟଣା ଘଟିବ ବୋଲି ଦକ୍ଷିଣ-କେନ୍ଦ୍ରୀୟ ରେଳବାଇକୁ ଧମକ ମିଳିଛି । ତେବେ ଏହି ଚିଠି କିଏ ପଠାଇଛି ସେନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ହାଇଦ୍ରାବାଦ ନର୍ଥ ଜୋନର ଡିସିପି ସୂଚନା ଦେଇଛନ୍ତି ।

ଏହି ଚିଠି ମିଳିବା ପରେ ଦକ୍ଷିଣ-କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ । ଏହି ଅବସରରେ ରେଳବାଇର ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ ଦୁର୍ଘଟଣା କଥା ମନେପଡ଼ିଲେ ଏବେ ବି ଛାତି ଥରି ଉଠୁଛି । ମାତ୍ର କେଇ ମିନିଟ ମଧ୍ୟରେ ଶହ ଶହ ଲୋକ ମୃତାହତ ହେବା ସହ ରକ୍ତର ସୁଅ ଛୁଟିଥିଲା । ସିଗନାଲ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର ଯେପରି ପୁନରାବୃତ୍ତି ନହୁଏ ସେନେଇ ରେଳବାଇ ପକ୍ଷରୁ ଯୋଜନା କରାଯାଉଛି । ତେଣୁ ଏହି ଚିଠିକୁ ନେଇ ଏବେ ପୁଣି ଥରେ ଆଶଙ୍କା ଦେଖାଦେଇଛି ।