fbpx

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବଢ଼ିଲା: ପ୍ରତିବର୍ଷ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୩ ହଜାର ବଢ଼ିଛି । ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ମାସକୁ ୧୦ ହଜାର ଟଙ୍କା ପାଉଥିବା ବେଳେ ଏବେ ୧୩ ହଜାର ପାଇବେ । ସେହିପରି ସହାୟିକାମାନେ ମାସକୁ ୫,୭୫୦ ଟଙ୍କା ଦରମା ପାଇବେ । ଏଥିସହିତ ପ୍ରତିବର୍ଷ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧ ହଜାର ଟଙ୍କା ଓ ସହାୟିକା ଦରମା ୫୦୦ ଟଙ୍କା ବୃଦ୍ଧି କରାଯିବ ।

ସୂଚନା ମୁତାବକ, ମଧ୍ୟପ୍ରଦେଶ ସରକାର ନିକଟରେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ରାଜ୍ୟର ୯୭,୧୩୫ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏହାର ଫାଇଦା ଉଠାଇ ପାରିବେ । ନିକଟରେ ରାଜ୍ୟ ସରକାର ଲଞ୍ଚ କରିଥିବା ‘ଲାଡଲୀ ବେହନା’ ସ୍କିମ ମାଧ୍ୟମରେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନେ ଉପକୃତ ହୋଇ ପାରିବେ ।

ଅବସର ଗ୍ରହଣ କରିବା ପରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ୧.୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏଥିସହିତ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସହାୟିକାମାନେ ଅଙ୍ଗନବାଡ଼ି କର୍ମୀ ପଦକୁ ପ୍ରମୋସନ ପାଇଁ ୫୦ ପ୍ରତିଶତ ପଦ ସଂରକ୍ଷିତ ରଖାଯିବ । ଅଙ୍ଗନବାଡ଼ି କର୍ମୀମାନେ ସରକାରୀ କର୍ମଚାରୀଙ୍କ ଭଳି ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଦରମା ବୃଦ୍ଧି ଘୋଷଣା କରିଥିଲେ । ମାତ୍ର କ୍ୟାବିନେଟ ମୋହର ବାଜିବା ପରେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.