ବର୍ଷାଦିନେ ଖାଆନ୍ତୁନି ଏହିସବୁ ଖାଦ୍ୟ, ଅନ୍ୟଥା ଖୁବ୍ ଶୀଘ୍ର ହୋଇପଡିିବେ ବିଭିନ୍ନ ସଂକ୍ରମଣର ଶିକାର

ନୂଆଦିଲ୍ଲୀ:ବର୍ଷା ଦିନ ଆସିଲେ ଗରମରୁ ମୁକ୍ତି ମିଳିଯାଏ ଏହା ସତ କିନ୍ତୁ ବର୍ଷା ଦିନ ନିଜ ସହିତ ବହୁ ରୋଗ ସାଥିରେ ଧରି ଆସିଥାଏ । ଏପରି ସ୍ଥିତିରେ ପ୍ରତି ବ୍ୟକ୍ତି ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏହି କ୍ରମରେ ଆସନ୍ତୁ ଜାଣିବା ବର୍ଷା ଋତୁରେ କଣ ଖାଇବା ଅନୁଚିତ ।
ବର୍ଷା ଦିନେ ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା ଜ୍ୱର ଓ ଫ୍ଲୁ ପରି ରୋଗର ଆଶଙ୍କା ବଢିଯାଏ । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବର୍ଷାଦିନେ ଘରଦ୍ୱାର ପରିଷ୍କାର ରଖିବାକୁ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସର୍ବଦା ପରାମର୍ଶ ଦେଇଥାନ୍ତି । ବର୍ଷାଦିନେ ବାହାର ଖାଦ୍ୟ ଖାଇବା ଦ୍ୱାରା ସବୁଠାରୁ ଅଧିକ ସଂକ୍ରମଣ ହୋଇଥାଏ । ଅନ୍ୟପକ୍ଷରେ ବର୍ଷାଦିନେ କେଉଁପ୍ରକାର ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ଆସନ୍ତୁ ସେ ସଂପର୍କରେ ଜାଣିନେବା ।
ସବୁଜ ପତ୍ରଯୁକ୍ତ ପନିପରିବା:
ବର୍ଷା ଦିନେ ସବୁଜ ପତ୍ରଯୁକ୍ତ ପନିପରିବା ଯେପରିକି ପତ୍ର କୋବି, ଶାଗ, ପାଳଙ୍ଗ ଆଦି ଖାଇବା ଅନୁଚିତ । ସ୍ୱାସ୍ତ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ଷାରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ସଂକ୍ରମଣର ଆଶଙ୍କା ବେଶୀ ବଢିଯାଏ । ପତ୍ର ଯୁକ୍ତ ପନିପରିବାରେ ବିଭିନ୍ନ ପ୍ରକାର କୀଟ ପୋକ ବଂଶ ବୃଦ୍ଧି କରିଥାନ୍ତି । ତେଣୁ ବର୍ଷା ଦିନେ ଏସବୁ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ ।
ତେଲ ମସଲାଯୁକ୍ତ ଖାଦ୍ୟ:
ବର୍ଷା ଦିନେ ତେଲ ଓ ମସଲାଯୁକ୍ତ ଖାଦ୍ୟ ଯେତେ କମ୍ ଖାଇବେ ସେତେ ଭଲ । କାରଣ ଏପରି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ୍ ଓ ପିତ୍ତ ବଢିଥାଏ ଯାହା ଶରୀର ଲାଗି ବହୁତ କ୍ଷତିକାରକ ହୋଇଥାଏ । ଏଣୁ ବର୍ଷା ଦିନେ ପକୁଡି, ସମୋସା କିମ୍ବା ଅନ୍ୟ କୌଣସି ତେଲ ଛଣା ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରହନ୍ତୁ । ଏପରି ଖାଦ୍ୟ ଡାଇରିଆର କାରଣ ହେବା ସହିତ ଆପଣଙ୍କ ପାଚନ ତନ୍ତ୍ରକୁ ବି ଖରାପ କରିଦେଇପାରେ ।
ଛତୁ: ବର୍ଷା ଦିନେ ଛତୁ ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । କାରଣ ଏହା ସିଧା ମାଟିରୁ ଅମଳ ହେଉଥିବାରୁ ସଂକ୍ରମଣ ହେବାର ଆଶଙ୍କାଅଧଇକ ରହିଛି ।
ଦହି:
ବର୍ଷା ଦିନେ ଦୁଗ୍ଧଜାତ ଦ୍ରବ୍ୟ ଯେପରିକି ଦହି ଆଦୌ ଖାଆନ୍ତୁ ନାହିଁ । କାରଣ ଦହିରେ ବ୍ୟାକ୍ଟେରିଆ ରହିଥାନ୍ତି ଯାହା ସ୍ୱାସ୍ଥ୍ୟ ବିଗାଡି ଦେଇପାରନ୍ତି ।
ସି’ ଫୁଡ୍:
ବର୍ଷାଦିନେ ସି’ ଫୁଡ୍ ଯେପରିକି ମାଛ, ଚିଙ୍ଗୁଡି ଓ କଙ୍କଡା ଆଦୌ ଖାଆନ୍ତୁ ନାହିଁ । କାରଣ ଏହି ସମୟ ତାଙ୍କର ପ୍ରଜନନ ସମୟ । ଏଣୁ ବର୍ଷା ଦିନେ ଏହା ଖାଇବା ଦ୍ୱାରା ଫୁଡ୍ ପଏଜନିଂର ଆଶଙ୍କା ବଢିଯାଏ । ଏହି ସମୟରେ ଆମ ପାଚନ ତନ୍ତ୍ର ଦୂର୍ବଳ ରହିଥାଏ । ଏଣୁ ଏହି ସମୟରେ ନନ୍ ଭେଜ୍ ଖାଦ୍ୟ ଖାଇବା ଦ୍ୱାରା ଏହା ସହଜରେ ହଜମ ହୋଇ ନ ଥାଏ ।
ସାଲାଡ:
ସାଲାଡ ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ବର୍ଷା ଦିନେ ଏହା ଖାଇବା ଅନୁଚିତ । କାରଣ ଏଥିରେ କଞ୍ଚା ପରିବାର ବ୍ୟବହାର ହୋଇଥାଏ । ବର୍ଷାଦିନେ କୌଣସି ବି କଞ୍ଚା ପରିବା ଖାଇବା ଅନୁଚିତ । ଏହା ବ୍ୟତିତ କଟା ହୋଇ ରହିଥିବା ଫଳ କି ପନିପରିବା ମଧ୍ୟ ଖାଆନ୍ତୁ ନାହିଁ । କାରଣ ଏଥିରେ କୀଟ ପୋକ ହୋଇଯାଇଥିବାର ଆଶଙ୍କା ରହିଥାଏ ।