fbpx

NSUIର ଇନଚାର୍ଜ ଭାବେ ନିଯୁକ୍ତ ହେଲେ କହ୍ନେୟା କୁମାର

ନୂଆଦିଲ୍ଲୀ: ୨୦୧୫ରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିବା କହ୍ନେୟା କୁମାରଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । କହ୍ନେୟାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ ବୋଲି ନିକଟରେ ବେଶ୍ ଚର୍ଚ୍ଚା ହେଉଥିଲା । ତେବେ ଏହା ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) କହ୍ନେୟାଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି ।

ସୂଚନା ମୁତାବକ, କହ୍ନେୟାଙ୍କୁ ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ (ଏନଏସୟୁଆଇ)ର ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି । କହ୍ନେୟା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ଅଖିଳ ଭାରତୀୟ ଛାତ୍ର ଫେଡେରେସନ (ଏଆଇଏସଏଫ)ର ନେତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ କଂଗ୍ରେସରେ ସାମିଲ ହୋଇଥିଲେ ।

କହ୍ନେୟାଙ୍କୁ କଂଗ୍ରେସ ପକ୍ଷରୁ ଏକ ବଡ଼ ଦାୟିତ୍ୱ ମିଳିବା ନେଇ ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚା ହେଉଥିଲା । ଏଆଇସିସିର ଘୋଷଣା ପରେ ଏବେ କହ୍ନେୟା ଏନଏସୟୁଆଇ ପାଇଁ କାର୍ଯ୍ୟ କରିବେ । କଂଗ୍ରେସର ଛାତ୍ର ୱିଙ୍ଗ ଏନଏସୟୁଆଇର ପ୍ରଭାରୀ ଭାବେ କହ୍ନେୟାଙ୍କୁ ଦାୟିତ୍ୱ ମିଳିଛି । ଛାତ୍ରଙ୍କ ଗହଣରେ ରହି କାର୍ଯ୍ୟ କରିବାର ଯଥେଷ୍ଟ ଅଭିଜ୍ଞତା କହ୍ନେୟାଙ୍କ ନିକଟରେ ରହିଥିବାରୁ ତାଙ୍କୁ ଦଳ ଏହି ଦାୟିତ୍ୱ ଦେଇଛି । ଅନ୍ୟପକ୍ଷରେ କହ୍ନେୟାଙ୍କୁ ଏହି ଦାୟିତ୍ୱ ମିଳିବାକୁ ନେଇ ଅନେକ ବରିଷ୍ଠ ନେତା ବିରୋଧ କରିଥିଲେ । ମାତ୍ର ଶେଷରେ ସମସ୍ତଙ୍କର ସହମତି ଆଧାରରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.