ରାଜ୍ୟର ସରକାରୀ ହସ୍ପିଟାଲରୁ ହଟିବେ ଦଲାଲ: ଗଠନ ହେବ ଦୁର୍ନୀତି ନିବାରଣ କମିଟି, ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲୋକଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଏଥିସହିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଜନସାଧାରଣ କିଭଳି ବିନା ଖର୍ଚ୍ଚରେ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରିବେ ସେନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଏବେ ଦଲାଲଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।
ସରକାରୀ ହସ୍ପିଟାଲମାନଙ୍କରେ ଦଲାଲମାନେ ରୋଗୀଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରି ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଉଥିବା ଦେଖାଯାଉଛି । ଅନେକ ସ୍ଥଳରେ କିଛି ଜଣାଶୁଣା ଡାକ୍ତରଙ୍କ ନାମ ନେଇ ରୋଗୀଙ୍କୁ ଘରୋଇ ହସ୍ପିଟାଲମାନେ ଆଡମିଟ୍ ହେବାକୁ ପରୋକ୍ଷରେ ବାଧ୍ୟ କରାଯାଉଛି । ତେଣୁ ଲୋକମାନେ ଘରୋଇ ହସ୍ପିଟାଲକୁ ଯାଇ ଲକ୍ଷ ଲକ୍ଷ ଟଙ୍କା ଗଣୁଛନ୍ତି । ତେଣୁ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଦଲାଲମାନେ ହସ୍ପିଟାଲଗୁଡ଼ିକର ବିଭିନ୍ନ ସ୍ଥାନରେ ଠିଆ ହୋଇ ରହୁଛନ୍ତି ଓ ରୋଗୀଙ୍କୁ ଦେଖିବା ମାତ୍ରକେ ସେମାନଙ୍କୁ ବିଭିନ୍ନ ବାହାନା ଦେଖାଇ ପ୍ରଲୋଭିତ କରୁଛନ୍ତି । ଦଲାଲମାନେ ରୋଗୀଙ୍କୁ ସରକାରୀ ଡାକ୍ତରଖାନା ସମ୍ପର୍କରେ ଅନେକ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି । ତେଣୁ ଦଲାଲମାନଙ୍କୁ ଚିହ୍ନଟ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମକୁ ଚିଠି ଲେଖିଛନ୍ତି । ହସ୍ପିଟାଲରେ ଦୁର୍ନୀତି ନିବାରଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲକୁ ଦଲାଲମୁକ୍ତ କରିବା ପାଇଁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ହାଇକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।