ଦେଶରେ ପ୍ରଥମ: ଓଡ଼ିଶା ସରକାର ଆରମ୍ଭ କରିବେ ‘ମୋ ଜଙ୍ଗଲ ଜମି ଯୋଜନା’, ସ୍ୱତନ୍ତ୍ର ସେଲ ଗଠନ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ହିତ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ରାଜ୍ୟବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଏହା ମଧ୍ୟରେ ଜନଜାତିଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ସୂଚନା ମୁତାବକ, ରାଜ୍ୟ ସରକାର ‘ମୋ ଜମି ଜଙ୍ଗଲ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଲାଗୁ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ଏକ ନମ୍ବର ହୋଇଥିବା ବେଳେ ଗୋଷ୍ଠୀଗତ ଅଧିକାର ଦେବା ନେଇ ନୂଆ ପଦକ୍ଷେପ ଗ୍ରହଣ କରିବେ । ଏଥିପାଇଁ ତହସିଲ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ ଗଠନ ହେବ । ଏହା ଫଳରେ ଆଦିବାସୀଙ୍କ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ ହେବା ସହ ଜଙ୍ଗଲ ସମ୍ପଦର ବିନିଯୋଗ ହୋଇପାରିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଗତ ୨୦୦୮ ମସିହାରେ ଦେଶରେ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇଥିବା ବେଳେ ଗୋଷ୍ଠୀଗତ ଆଦିବାସୀଙ୍କୁ ଏ କ୍ଷେତ୍ରରେ ସେତେଟା ସଫଳତା ମିଳିନି । ଜଙ୍ଗଲ, ଜମି ଉପରେ ଆଦିବାସୀଙ୍କ ଜନ୍ମଗତ ଅଧିକାର ରହିଥିବା ବେଳେ ସେମାନେ ବହୁଦିନ ଧରି ଶୋଷିତ ହୋଇ ଆସୁଥିଲେ । ତେଣୁ ରାଜ୍ୟ ସରକାର ସେମାନଙ୍କୁ ଚାଷ, ଜମି, ଜଙ୍ଗଲ ଅଧିକାର ଦେବା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି । ନୂଆ ଯୋଜନା ଲାଗୁ ହେଲେ ଆଦିବାସୀଙ୍କୁ ଜନ୍ମଗତ ଅଧିକାର ମିଳିବା ସହିତ ସେମାନଙ୍କର ମୌଳିକ ସମସ୍ୟାର ସମାଧାନ ହୋଇପାରିବ ।