fbpx

ରାଜ୍ୟର ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ବଜ୍ରପାତରେ ୪ ମୃତ : ଆସନ୍ତା ୨୪ ଘଣ୍ଟା ଭିତରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‍ର ଅଞ୍ଚଳା ଗାଁରେ ମା’ ଓ ପୁଅ ଜମିରେ କାମ କରୁଥିବାବେଳେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେହିଭଳି ଅନୁଗୁଳ ଜିଲ୍ଲା ନାଲ୍‍କୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁରେ ଦୁଇ ଜଣ ମହିଳା ଜଙ୍ଗଲକୁ ଯାଇଥିବା ସମୟରେ ବଜ୍ରପାତ ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ମୌସୁମୀ ଚାପରେଖାର ପୂର୍ବଭାଗ ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ହେଲେ ମୌସୁମୀ ନିମ୍ନ ଚାପରେଖା ଆଜି ରାଜସ୍ଥାନର ବିକାନେର୍‍ରୁ ବାହାରି ଉତ୍ତର-ପୂର୍ବ ରାଜସ୍ଥାନ ଉପରେ ସକ୍ରିୟ ଥିବାରୁ ରାଜ୍ୟର ପାଖାପାଖି ୨୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨ ଦଶମିକ ୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୭୭ ପ୍ରତିଶତ କମ୍‍ ରହିଛି । ଜୁନ୍‍ ମାସ ୧ ତାରିଖରୁ ଗତକାଲି ସୁଦ୍ଧା ରାଜ୍ୟରେ ୨୨୨ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ହେଲେ ଏହି ସମୟ ମଧ୍ୟରେ ବର୍ଷାର ପରିମାଣ ୩୦୪ ଦଶମିକ ୨ ମିଲିମିଟର ସ୍ୱାଭାବିକ ବର୍ଷା ହୋଇଥାଏ । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୫୨ ଦଶମିକ ୪ ମିଲିମିଟର ବର୍ଷା ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ସବୁଠାରୁ କମ୍‍ ୧୨୩ ଦଶମିକ ୮ ମିଲିମିଟର ବର୍ଷା ହୋଇଛି ।

Get real time updates directly on you device, subscribe now.