ଭିସୁଟରେ ଦୁଇ ଚକିଆ, ଚାରି ଚକିଆ ଯାନ ଉପରେ ଲାଗିଲା ରୋକ

ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟାକ୍ନୋଲୋଜି(ଭିସୁଟ) କ୍ୟାମ୍ପସରେ ଦୁଇ ଚକିଆ, ଚାରି ଚକିଆ ଯାନ ପ୍ରବେଶ କରିବା ଉପରେ ଲାଗିଛି ରୋକ । ଏଣିକି ଛାତ୍ରଛାତ୍ରୀ ମାନେ କ୍ୟାମ୍ପସ ଭିତରକୁ ଦୁଇ ଚକିଆ, ଚାରି ଚକିଆ ଯାନ ନେଇ ପ୍ରବେଶ କରିପାରିବେନି । ପୂର୍ବରୁ ରାସ୍ତାରେ ଦୁର୍ଘଟଣା ହେତୁ ଦୁଇଜଣ ଛାତ୍ରଙ୍କର ଜୀବନ ଯାଇଛି । ତେବେ କ୍ୟାମ୍ପସରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ । ଏହା ସହ ନିୟମକୁ ଉଲଙ୍ଘନ କଲେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ ପଦକ୍ଷେପ ନିଆଯାଇଛି ।

ତେବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଓ ହଷ୍ଟେଲ ପାଖାପାଖି ଥିବାରୁ ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗେ କ୍ୟାମ୍ପସ ଆସିବାକୁ କୁହାଯାଇଛି । ଏହା ସହ ହଷ୍ଟେଲ ପରିସରରେ ଛାତ୍ରଛାତ୍ରୀ ମାନେ ଦୁଇ ଚକିଆ, ଚାରି ଚକିଆ ଯାନବାହନ ରଖିବା ଉପରେ ରୋକ ଲଗାଯାଇଛି । ପୂର୍ବରୁ ମଧ୍ୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ନୂତନ ଶିକ୍ଷା ବର୍ଷରେ ନାମଲେଖା ଆରମ୍ଭ ହୋଇଥିବାରୁ ଏନେଇ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଛି ।