fbpx

Indian Navyକୁ ମିଳିବ ୨୬ ରାଫେଲ, ୩ ସ୍କର୍ପିଅନ ସବମରୀନ୍: ଡିଫେନ୍ସ କାଉନ୍ସିଲରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ନୌସେନା ହେବାକୁ ଯାଉଛି ଆହୁରି ଶକ୍ତିଶାଳି । ଭାରତୀୟ ନୌସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଯୁଦ୍ଧ ବିମାନ । ଏହାସହିତ ନୌସେନାକୁ ୩ଟି ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ ମଧ୍ୟ ସାମିଲ ହେବାକୁ ଯାଉଛି । ତେବେ ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିସାରିଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଭାରତୀୟ ନୌସେନା ପାଇଁ ତିନୋଟି ଅତିରିକ୍ତ ସ୍କର୍ପିଓନ୍ ଶ୍ରେଣୀର ବୁଡ଼ାଜାହାଜ ସହିତ ୨୬ ଟି ରାଫାଲ୍ ଯୁଦ୍ଧ ବିମାନ କିଣିବା ପାଇଁ ୨୨ ଟି ରାଫାଲ୍ ଏମ୍ଏସ୍ ଏବଂ ୪ ଟି ଟ୍ୱିନ୍ ସିଟ୍ ଟ୍ରେନର୍ ସଂସ୍କରଣ କ୍ରୟ ପାଇଁ ପ୍ରସ୍ତାବ ଅନୁମୋଦନ କରିଥିବା ଜାଣିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ୟାରିସ ଯାତ୍ରା ସମୟରେ ଭାରତୀୟ ନୌସେନା ପାଇଁ ଫ୍ରାନ୍ସ ୨୬ ରାଫେଲ ବିମାନ ଏବଂ ୩ଟି ସ୍କର୍ପିଅନ ବୁଡାଜାହାଜ କିଣିବାକୁ ଯାଉଛି । ତେବେ ଉଭୟ ପକ୍ଷର ତରଫରୁ ଖୁବଶୀଘ୍ର ଏକ ଚୁକ୍ତିରେ ମୋହର ଲାଗିପାରେ । ଏହାଦ୍ୱାରା ଫ୍ରାନ୍ସର ପ୍ରମୁଖ ରକ୍ଷା କମ୍ପାନୀ ‘ସଫରାନ’ ଏବଂ ଏକ ଭାରତୀୟ କମ୍ପାନୀ ମିଳିତ ଭାବରେ ଏକ ବିମାନ ଇଞ୍ଜିନ ବିକଶିତ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା କ୍ରୟ ବୋର୍ଡ (ଡିପିବି) ଏହି ପ୍ରସ୍ତାବକୁ ଅନୁମୋଦନ କରିସାରିଛି। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ମଧ୍ୟ କ୍ରୟ ପ୍ରସ୍ତାବ ପାଇଁ ଅନୁମତି ଦେଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ବଡ଼ ପ୍ରତିରକ୍ଷା ପ୍ରକଳ୍ପ ଘୋଷଣା କରିପାରନ୍ତି। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ ୨୬ ଡେକ୍ ଆଧାରିତ ଯୁଦ୍ଧବିମାନ କିଣିବାକୁ ପ୍ରସ୍ତୁତ ହେଉଛି । ଦୀର୍ଘ ପ୍ରକ୍ରିୟା ପରେ କ୍ରୟ ପାଇଁ ନୌସେନା ବୋଇଙ୍ଗର ଏଫ/ଏ-୧୮ ସୁପର ହର୍ନେଟ ଏବଂ ଫ୍ରେଞ୍ଚ ଏରୋସ୍ପେସ କମ୍ପାନୀ ଡାସଲ୍ଟ ଆଭିଏସନର ରାଫାଲ-ଏମ ବିମାନକୁ ଚୟନ କରିଥିଲା ।

Get real time updates directly on you device, subscribe now.