fbpx

ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି: ଜେଲଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ଆଶ୍ୱସ୍ତି । ରାହୁଲଙ୍କ ସଜ୍ଜା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଚୂଡ଼ାନ୍ତ ମାମଲା ନ ଆସିବା ପର୍ଯ୍ୟନ୍ତ ସଜ୍ଜା ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ସୁରତ ସେସନ କୋର୍ଟ ରାହୁଲଙ୍କ ଉପରେ ୨ ବର୍ଷର ଜେଲଦଣ୍ଡାଦେଶ ଲାଗୁ କରିଥିଲେ । ରାହୁଲଙ୍କ ଦଣ୍ଡାଦେଶକୁ ଆଜି ସାରା ଦେଶ ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ଶେଷରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।

ଗତ ଜୁଲାଇ ମାସ ୩୧ ତାରିଖରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ । ସେଥିରେ ସେ ରାହୁଲଙ୍କ ଯାଚିକାକୁ ଖାରଜ କରିବାକୁ ଦାବି କରିଥିଲେ । ରାହୁଲଙ୍କୁ ଆଶ୍ୱସ୍ତି ଦେବାର କୌଣସି ଆଧାର ନାହିଁ । ତାଙ୍କର ଆଚରଣ ଗର୍ବରେ ଭରି ରହିଛି । ବିନା କାରଣରେ ଗୋଟିଏ ସମ୍ପ୍ରଦାୟକୁ ଅପମାନିତ କରିବା ପରେ ସେ କ୍ଷମା ମାଗିବାକୁ ମନା କରିଥିଲେ ବୋଲି ପୂର୍ଣ୍ଣେଶ ଉଲ୍ଲେଖ କରିଥିଲେ ।

ଏହାପରେ ଗତ ୨ ତାରିଖରେ ରାହୁଲ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ । ମାନହାନୀ କେସରେ ଅଧିକ ବର୍ଷର ଜେଲଦଣ୍ଡ କାରଣରୁ ତାଙ୍କର ଲୋକସଭାର ସଦସ୍ୟତା ରଦ୍ଦ ହୋଇଯାଇଛି । ଏହି ମାମଲା ଦାୟର କରିଥିବା ପୂର୍ଣ୍ଣେଶ ମୋଦୀ ନିଜେ ମୂଳ ରୂପରେ ମୋଦୀ ସମାଜର ନୁହନ୍ତି । ଏହା ପୂର୍ବରୁ କୌଣସି କେସରେ କେହି ସଜ୍ଜା ପାଇ ନାହାନ୍ତି । କ୍ଷମା ମାଗିବାକୁ ମନା କରିବାକୁ ଗର୍ବୀ କୁହାଯିବା ଅନୁଚିତ । ଏଭଳି ଭାବେ ରାହୁଲ ନିଜର ଜବାବରେ ଦର୍ଶାଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଏପ୍ରିଲ ୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ‘ସବୁ ଚାରି ଚୋରଙ୍କ ଉପନାମ ମୋଦୀ କାହିଁକି ରହିଛି?’ ତେଣୁ ଏନେଇ ରାହୁଲଙ୍କ ବିରୋଧରେ ପୂର୍ଣ୍ଣେଶ ଅପରାଧିକ ମାନହାନୀ ମାମଲା ଦାୟର କରିଥିଲେ । ଏହି ମାମଲାରେ ସୁରତର ଏକ କୋର୍ଟ ୨ ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ଏହାପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ ।

Get real time updates directly on you device, subscribe now.