fbpx

ହଜିଯାଇଛି ବର୍ଷା, ଝାଉଁଳିଲାଣି ତଳ; ଉତ୍ତରକୁ ଘୁଞ୍ଚିଯାଇଛି ନିମ୍ନ ଚାପରେଖା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ହୋଇପଡିଛି। ଆକାଶରୁ ବର୍ଷା ଗାଏବ ହୋଇଯାଇଛି। ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବର୍ଷା ବିତ୍ପାତ ଓ ବନ୍ୟା ଡର ପରେ ହଜିଯାଇଛି ବର୍ଷା। ମୌସୁମୀରେ ଟାଇଁଟାଇଁ ଖରା। ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି। ଚିନ୍ତାରେ ଚାଷୀକୂଳ। ଗତ ଦୁଇରୁ ତିନି ହେବ ପାଣିପାଗରେ ଯେପରି ପରିବର୍ତ୍ତନ ଘଟିଛି ଯଦି ସେହିଭଳି ପାଗ ଆଉ ଦୁଇ ଚାରିଦିନ ଜାରି ରହେ ତେବେ ରାଜ୍ୟରେ ମରୁଡି ଆଶଙ୍କା ଦେଖାଦେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଉଛନ୍ତି। ପ୍ରବଳ ଖରାରେ ଧାନତଳି ଝାଉଁଳି ପଡୁଛି । ପାଣିପାଗ
ବିଶେଷଜ୍ଞମାନେ କହୁଛନ୍ତି ଏବେ ସେମିତି ବର୍ଷାର ସମ୍ଭାବନା ନାହିଁ।

ମୌସୁମୀକୁ ସକ୍ରିୟ କରାଉଥିବା ନିମ୍ନ ଚାପରେଖା ଉତ୍ତରକୁ ଘୁଞ୍ଚିଯାଇଛି। ପୁଣି ତଳକୁ ଖସିଲେ ରାଜ୍ୟରେ ବର୍ଷା ହୋଇପାରେ । ତେବେ ଚାଷୀମାନେ ଧାନଚାଷ କରିବେ କି ନାହିଁ ସେନେଇ ଏବେ ଚିନ୍ତାରେ ଘାରି ହେଉଛନ୍ତି । ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ଯେ, ଆସନ୍ତା ୧୭ କିମ୍ବା ୧୮ ବେଳକୁ ପଶ୍ଚିମବଙ୍ଗ ଓ ବାଲେଶ୍ୱର ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମଧ୍ୟମଧରଣର ବର୍ଷା ହୋଇପାରେ । ସେହିପରି ୨୩ କିମ୍ବା ୨୪ରେ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିବାର ସମ୍ଭାବନା ରହିଛି ।
ଏବେ କିନ୍ତୁ ପରିସ୍ଥିତି ସାଂଘାତିକ ରୂପ ଧାରଣ କରିଛି । ପ୍ରବଳ ଖରା ଯୋଗୁଁ ବାଷ୍ପୀକରଣ ହାରରେ ଜମି ସବୁ ଶୁଖିଗଲାଣି । ଯେଉଁଠି ଧାନରୁଆ କାମ ସରିଛି ସେଠାରେ ପାଣିର ଆବଶ୍ୟକ ରହୁଛି । ଗତ ୩/୪ଦିନର ପ୍ରବଳ ଖରା ଜମିରୁ ପାଣି ଶୋଷି ନେଇଛି । ବିଶେଷ କରି ଗଞ୍ଜାମ, ନବରଙ୍ଗପୁର, କେନ୍ଦ୍ରାପଡା ଓ ପୁରୀର ସ୍ଥିତି ଖରାପ ହୋଇପଡିଛି ।

ଏସବୁ ଅଞ୍ଚଳରେ ୨୦ ରୁ ୪୨% ଯାଏ ସ୍ୱଳ୍ପ ବର୍ଷା ହୋଇଛି । ଆଗକୁ ବର୍ଷା ନହେଲେ ଚାଷ ବିଗିଡିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମୌସୁମୀ ଋତୁରେ ପୁରୀରେ ସର୍ବାଧିକ ତାତି ଦେଖିବାକୁ ମିଳିଛି । ୧୮୯୬ରୁ ୨୦୨୨ ମଧ୍ୟରେ ଅର୍ଥାତ୍ ୧୨୬ବର୍ଷ ମଧ୍ୟରେ ପୁରୀରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ପୁରୀର ସର୍ବୋଚ୍ଚ ତାପମାତ୍ରା ୩୬ଡିଗ୍ରୀ ରହିଛି । ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଆଗକୁ ବର୍ଷା ନଥିବାରୁ ଜମିରେ ପାଣି ସଞ୍ଚୟ କରି ରଖିବା ଜରୁରୀ । ପାଣି କମ ଥିଲେ ମଧ୍ୟ ରୁଆ ବେଉସା କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ରୋଇବା ବେଳେ ଫସଫରସ ଓ ପୋଟାସ ସାର ମୂଳ ସାର ହିସାବରେ ପ୍ରୟୋଗ କରିବାକୁ କହିଛନ୍ତି । ଧାନ ବଦଳରେ ମକା ଓ ମାଣ୍ଡିଆ ଚାଷ କରିବାକୁ ସେମାନେ ମତ ଦେଇଛନ୍ତି । ଏବେ ଏସବୁ ଭିତରେ ଆଗକୁ ସ୍ଥିତି କଣ ରହିବ ତାକୁ କେବଳ
ଚାଷୀମାନେ ଅପେକ୍ଷା କରି ବସିଛନ୍ତି ।

Get real time updates directly on you device, subscribe now.