fbpx

ଅକ୍ଷୟଙ୍କୁ ଚାପୁଡ଼ା ମାରିଲେ କିମ୍ବା ଛେପ ପକାଇଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର

ଓଡିଶା ଭାସ୍କର; ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଜଣାଶୁଣା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ନିଜର ଦମଦାର ଅଭିନୟ ପାଇଁ ସେ ସାରା ଦେଶରେ ପ୍ରଶଂସା ସାଉଁଟି ପାରିଛନ୍ତି । ନିକଟରେ ତାଙ୍କ ଅଭିନୀତ ସିନେମା ଓଃ ମାଇ ଗଡ୍ -୨ ଶୁକ୍ରବାର ରିଲିଜ୍ ହୋଇଛି । ତାଙ୍କର ଏହି ସିନେମାକୁ ନେଇ କିଛି ଦର୍ଶକ ପ୍ରଶଂସା କରିଥୁବା ବେଳେ ଅନ୍ୟପଟେ ଏକ ବିବାଦ ସାମ୍ନାକୁ ଆସିଛି ।

ଯଦି କେହି ଅକ୍ଷୟ କୁମାରଙ୍କୁ ଚାପୁଡା ମାରନ୍ତି, ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ସେହିପରି ଅକ୍ଷୟ କୁମାରଙ୍କ ଉପରକୁ ଯିଏ ଛେପ ପକାଇବ ତାକୁ ମଧ୍ୟ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ଏନେଇ ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବଡ ଘୋଷଣା କରିଛି ।

ପ୍ରକୃତରେ କଥାଟି ହେଉଛି, ସିନେମାର ଗୋଟିଏ ସିନକୁ ନେଇ ଆଗ୍ରାର ଉକ୍ତ ହିନ୍ଦୁ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସିନେମାରେ ଭଗବାନ ଶିବଙ୍କୁ ଅପମାନ କରାଯାଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ପାରାଶରଙ୍କ କହିବା ଅନୁଯାୟୀ, ଫିଲ୍ମର କିଛି ଦୃଶ୍ୟରେ ଭଗବାନ ଶିବଙ୍କର ଅପମାନ କରାଯାଇଛି । ଫିଲ୍ମରେ ଅକ୍ଷୟ କୁମାର ଭୋଳାନାଥଙ୍କ ଦୂତ ବନିଛନ୍ତି, ଆଉ ଜୋତା ପିନ୍ଧିଛନ୍ତି । ଯାହାଦ୍ୱାରା କି ଭଗବାନଙ୍କ ଛବି ଖରାପ ହେଉଛି । ଏହା ସହ ଅକ୍ଷୟ କୁମାର ହିନ୍ଦୁ ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଇଛନ୍ତି । ଯାହାକୁ ନେଇ ଅଭିନେତା ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଏହା ସହ ଆଗାମୀ ଦିନରେ ଫିଲ୍ମ ହଲ୍ ବାହାରେ ମଧ୍ୟ ଧାରଣା ପ୍ରଦର୍ଶନ କରାଯିବ ବୋଲି ସଙ୍ଗଠନ କହିଛି ।

Get real time updates directly on you device, subscribe now.