(Video) ଗର୍ବ କ’ଣ କରିବି, ମୁଁ ଥାଉ ଥାଉ ମୋ ପୁଅ ଚାଲିଗଲା… ସ୍ୱାଧୀନତା ଦିବସରେ ସହିଦ ଦେବାଶିଷଙ୍କୁ ଝୁରୁଛନ୍ତି ବାପା

ମୁଁ ଗର୍ବ କଣ କରିବି । ମୋ ପାଇଁ ତ ଇଏ ଦାରୁଣ ଦୁଃଖ ଦାୟକ । ମୋ ପୁଅ ତ ମୋ ପାଖରୁ ଚାଲିଗଲା । ଦେଶ ପାଇଁ ସହିଦ ହୋଇଗଲା ମୋ ଦେବାଶିଷ । ଯେଉଁ ପୁଅ ମୋର ଗର୍ବ ଥିଲା ସେହି ପୁଅ ମୋଠାରୁ ଦୁରେଇଗଲା । ମୋ ସିରି ଚାଲିଗଲା ମୋ ପୁଅ ଆଉ ମୋ ପାଖକୁ ଫେରିବ ନାହିଁ । ମୋ ପୁଅର ଆସିବା ବାଟକୁ ମୁଁ ଅନେଇ ବସିଥିଲି କେବେ ମୋ ପୁଅ ମୋ ପାଖକୁ ଫେରି ଆସିବ । ହେଲେ ସେ ଚିର ନିଦ୍ରାରେ ଶୋଇ ପଡ଼ିଲା…

ଏସବୁ କଥା କହି କାନ୍ଦି ପକାଇଛନ୍ତି ବୀର ସହିଦ ଦେବାଶିଷ ବିଶ୍ୱାଳଙ୍କ ବାପା । ପରିଣତ ବୟସରେ ଆଖିରେ ରହୁନି ଲୁହ । ପୁଅକୁ ପୁଣିଥରେ ଦେକିବାର ସ୍ୱପ୍ନ ତାଙ୍କର ସ୍ୱପ୍ନରେ ହିଁ ରହିଗଲା । ଆଉ କେବେ ସେ ଚାହିଁଲେ ପୁଅକୁ ଟିକିଏ ଦେଖି ପାରିବେ ନାହିଁ । ଏକଥା ଭାବିଲେ ଦେବାଶିଷଙ୍କ ବାପାଙ୍କ ଆଖିରୁ ଲୁହର ବନ୍ୟା ଭାସି ଆସୁଛି । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ତାଙ୍କ ସରକାର ଟଙ୍କା ଦେଲେ । ହେଲେ ସେ ଟଙ୍କା ତାଙ୍କର କଣ ଦରକାର । ଟଙ୍କାରେ ତାଙ୍କର ଲୋଭ ନାହିଁ । ସାଧାରଣ ଜୀବନ ବିତାଉଥିବା ଲୋକଟେ ପାଇଁ ଟଙ୍କା କଣ ଦରକାର । ତାଙ୍କ ପୁଅତ ଥିଲା ତାଙ୍କର ସବୁଠାରୁ ଦାମି ଅଳଙ୍କାର । ଯେତେବେଳେ ତାଙ୍କ ପୁଅ ତାଙ୍କ ପାଖରେ ନାହିଁ, ସେତେବେଳେ ଏ ଟଙ୍କା ତାଙ୍କର କେଉଁ ଖୁସିକୁ ବା ପୂରଣ କରିପାରିବ । ଏମିତି କହି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ସହିଦ ଦେବାଶିଷଙ୍କ ବାପା ।

ଖାଲି ବାପା ନୁହଁନ୍ତି ସହିଦ ଦେବାଶିଷଙ୍କ ମାଙ୍କ ଆଖିରୁ ମଧ୍ୟ ଏପର୍ଯ୍ୟନ୍ତ ଲୁହ ଶୁଖିନି । ଯେଉଁ ପୁଅକୁ ଆଶା କରି ପରିଣତ ବୟସକୁ ବଞ୍ଚୁଥିଲେ ସେହି ପୁଅ ତାଙ୍କୁ ଛାଡ଼ି ଚାଲିଯାଇଛି । ସେହି କଥାକୁ କେମିତି ବା ସହିପାରିବେ । ସେ ଟଙ୍କା ଏତେ ସାରା ସମ୍ମାନ ତାଙ୍କର କଣ ବା ଆଶ୍ୟକତା ରହିଛି । ଯାହା ସବୁଠାରୁ ଜରୁରୀ ଥିଲା ସେ ସବୁତ ତାଙ୍କ ପାଖରୁ ଦୁରେଇ ଗଲା । ଏମିତି କିଛି ଭାବନାକୁ ସାଥି କରି ଓଡ଼ିଶା ଭାସ୍କରର ‘ମା ତୁଝେ ସଲାମ’ କାର୍ଯ୍ୟକ୍ରମରେ କାନ୍ଦି ପକାଇଥିଲେ ସହିଦ ଦେବାଶିଷଙ୍କ ମା’ ।

୨୦୧୩ ଜୁନ୍ ୧୮ ତାରିଖରେ ସେନା ବାହିନୀରେ ଯୋଗ ଦେଇଥିଲେ ଦେବାଶିଷ ବିଶ୍ୱାଳ । କିନ୍ତୁ ୨୦୨୩ ଏପ୍ରିଲ ୨୦ ତାରିଖରେ ଜାମ୍ମୁକାଶ୍ମିରର ପୁଂଛ ସେକ୍ଟରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଯାଇଥିଲେ । ଓଡ଼ିଶା ହରାଇଥିଲା ଜଣେ ବୀର ଓଡ଼ିଆ ପୁଅକୁ । ପୁରା ରାଜ୍ୟ ଦେବାଶିଷଙ୍କୁ ହରାଇ ସେତେବେଳେ କାନ୍ଦିବାରେ ଲାଗିଥିଲା ।