fbpx

ପୁଣି ହିମାଚଳରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ରଚୁଛି ତାଣ୍ଡବ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ବର୍ତ୍ତମାନ ତାଣ୍ଡବ ରଚୁଛି । ପାହାଡି ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ଲଗାତାର ଭାବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି । କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି । ତେବେ ସୂଚନା ଅନୁଯାୟୀ, ଆଜି ପୁଣି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ ଭୂସ୍ଖଳନ ହେବା କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ସିମଲାର ଶୋଲ ଗାଁ ନିକଟରେ ଭୂସ୍ଖଳନ ହେବା କାରଣରୁ ମାଟିତଳେ ଚାପି ହୋଇ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଦମ୍ପତ୍ତି ଏକ ନିର୍ମାଣ କାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପୋଲିସର ସୂଚନା ମୁତାବକ ସେମାନେ ଝାଡଖଣ୍ଡର ବାସିନ୍ଦା ବୋଲି ଜଣା ପଡିଛି ।

ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରୁଥିଲେ ବି ମଧ୍ୟ ଏହାର କୌଣସି ଫାଇଦା ରହୁ ନାହିଁ । ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଅନେକ ଜୀବନ ନେଉଥିବା ବେଳେ ଅନେକଙ୍କ ଜୀବିକା ଉଜାଡି ଦେଉଛି । ବର୍ତ୍ତମାନ ସୁଦ୍ଧା ୧୦ହଜାର କୋଟିରୁ ଉର୍ଦ୍ଧ ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି ।

ସେପଟେ ହିମାଚଳ ପ୍ରଦେଶର ପାଣିପାଗ ବିଭାଗ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଗୁଡ଼ିକୁ ପର୍ବତଗୁଡିକର ଆର୍ଦ୍ରତା ପରିମାଣ ଆକଳନ କରୁଛନ୍ତି । ପାହାଡ ଉପରେ ଜଙ୍ଗଲର ଗଛଗୁଡ଼ିକ ଲ୍ୟାଣ୍ଡ ସ୍ଲାଇଡ୍ ସମୟରେ ଖସି ଯାଉଛନ୍ତି । ଏଥିରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଏହି ଜଙ୍ଗଲ ଏବଂ ଗଛଗୁଡ଼ିକ ବର୍ଷା ଜଳ ସଂରକ୍ଷଣ କରିବାରେ ସକ୍ଷମ ନୁହଁନ୍ତି । ତେଣୁ ପର୍ବତ ଉପରେ ଅବସ୍ଥିତ ସହର ଏବଂ ଜନସଂଖ୍ୟା ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି ।

 

 

Get real time updates directly on you device, subscribe now.