fbpx

G20 ବୈଠକ ପରେ ଦ୍ୱିତୀୟ ଥର ମୋଦୀ-ଜିନପିଙ୍ଗଙ୍କ ଭେଟଘାଟ; ମୋଦୀଙ୍କୁ କ’ଣ କହିଲେ ଜିନପିଙ୍ଗ?

ଜୋହାନ୍ସବର୍ଗ: ବ୍ରିକ୍ସ ଦେଶ ସମୂହ ଆଉ ୬ ଗୋଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିିତ କରିଛି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହେଉଥିବା ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବରେ ଏହି ବିଷୟକୁ ନେଇ ବିସ୍ତୃତ ଭାବରେ ଚର୍ଚ୍ଚା କରିବା ପରେ ଏହାକୁ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ୬ ଗୋଟି ଦେଶକୁ ସାଦର ସ୍ୱାଗତ କରିଛନ୍ତି । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା କହିଛନ୍ତି ବ୍ରିକ୍ସର ବିସ୍ତାରର ପ୍ରଥମ ପର୍ଯ୍ୟାୟରେ ଆର୍ଜେଣ୍ଟିନା, ମିଶର, ଇଥିଓପିଆ, ଇରାନ, ସାଉଦୀ ଆରବ, ୟୁଏଇକୁ ସାମିଲ ହେବା ଲାଗି ଆମନ୍ତ୍ରିତ କରାଯାଇଛି । ଏହି ନୂଆ ସଦସ୍ୟତା ୧ ଜାନୁୟାରୀ ୨୦୨୪ରୁ କାର୍ୟ୍ୟକାରୀ ହେବ ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମସ୍ତ ଦେଶର ନେତା ଓ ନାଗରିକଙ୍କୁ ବଧାଇ ଜଣାଇଛନ୍ତି । ମୋଦୀ କହିଛନ୍ତି ଆମେ ସମସ୍ତେ ମିଳିତ ହୋଇ ବ୍ରିକ୍ସକୁ ନୂଆ ଗତି ଦେବା । ଭାରତର ଏହିସବୁ ଦେଶ ସହିତ ବହୁତ ଭଲ ସମ୍ବନ୍ଧ ରହିଛି । ବ୍ରିକ୍ସ ଜରିଆରେ ଭାରତର ସମ୍ବନ୍ଧ ଏହି ଦେଶଗୁଡିକ ସହ ଆହୁରି ଗଭୀର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ ୩ ର ସଫଳତା ବିଷୟ ମଧ୍ୟ ଉଠାଇଛନ୍ତି । ବିଭିନ୍ନ ଦେଶରୁ ଏଥିପାଇଁ ମିଳିଥିବା ଶୁଭକାମନା ଲାଗି ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ। କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକଙ୍କ ପାଇଁ ଏହା ବଡ଼ ଉପଲବ୍ଧି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏକ ଚର୍ଚ୍ଚାର ବିଷୟ, ବ୍ରିକ୍ସ ସମ୍ମିଳନୀରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ । କନଫରେନ୍ସକୁ ଯିବାବେଳେ ମୋଦି ଜିନପିଙ୍ଗଙ୍କୁ ଅଭିବାଦନ କରିବା ସହ ଉଭୟ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ମୋଦୀଙ୍କୁ କ’ଣ କହିଲେ ତାକୁ ନେଇ ଏକ ଚର୍ଚ୍ଚାର ବିଷୟ ଦେଖିବାକୁ ମିଳିଛି । କିଛି ଦିନ ହେବ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି । ତେବେ ଜିନପିଙ୍ଗ ମୋଦୀଙ୍କୁ ସୀମା ପ୍ରସଙ୍ଗକୁ ନେଇ କିଛି ଆଲୋଚନା କରିଛନ୍ତି କି ? ନା ଚନ୍ଦ୍ରଯାନ ସଫଳତାକୁ ନେଇ ବ୍ୟକ୍ତିଗତ ଭାବେ ମୋଦୀଙ୍କୁ ଜିନପିଙ୍ଗ ଶୁଭେଛା ଜଣାଇଛନ୍ତି? G20 ସାକ୍ଷାତ ପରେ ବ୍ରିକ୍ସ ସମ୍ମିଳନୀରେ ଏହା ଦ୍ୱିତୀୟ ଥର ମୋଦୀ-ଜିନପିଙ୍ଗଙ୍କ ଭେଟଘାଟ ଥିଲା । ଏହି ଅବସରରେ ପିଏମ ମୋଦୀ, ସି ଜିନପିଙ୍ଗ ସଂକ୍ଷିପ୍ତ ବାର୍ତ୍ତାଳାପ କରିଛନ୍ତି ।

Get real time updates directly on you device, subscribe now.