fbpx

ଏହି ୩ ରୋଗ ବଢାଇଦିଏ ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା, ଏକ ନୂତନ ଅଧ୍ୟୟନରୁ ବଡ ଖୁଲାସା

ନୂଆଦିଲ୍ଲୀ:ଆଜିକାଲି ମୋଟାପା, ଉଚ୍ଚ ରକ୍ତଚାପ, ଡାଇବେଟିସ୍, କୋଲେଷ୍ଟ୍ରଲ ପରି ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସାରା ବିଶ୍ୱରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଏହିସବୁ ରୋଗ ଏତେ ଭୟାନକ ଯେ, ଏମାନେ ଧୀରେ ଧୀରେ ବ୍ୟକ୍ତି ମଧ୍ୟରେ ଭୀଷଣ ରୂପ ନେଇଥାନ୍ତି ଓ ପରେ କୌଣସି ଏକ ବଡ ରୋଗର କାରଣ ପାଲଟିଯାଆନ୍ତି । ତେବେ ନିକଟରେ ହୋଇଥିବା ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ଡାଇବେଟିସ, ପେଟରେ ଚର୍ବି ପରି ଅବସ୍ଥା ହୃଦଘାତ ଓ ଷ୍ଟ୍ରୋକ ପରି ରୋଗର ଆଶଙ୍କା ବୃଦ୍ଧି କରିଥାଏ ଓ ବ୍ୟକ୍ତିକୁ ମୃତ୍ୟୁର ନିକଟତର କରାଇଥାଏ ।

ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜି କଂଗ୍ରେସ ୨୦୨୩ ବୈଠକରେ ଉପସ୍ତାପନ କରାଯାଇଥିବା ଏକ ରିସର୍ଚ୍ଚରେ ଏହା କୁହାଯାଇଛି ଯେ, ଏହି ୩ ରୋଗ ମଧ୍ୟବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ସେହି ବୟସର ସ୍ୱଭାବିକ ସ୍ୱାସ୍ଥ୍ୟବିଶିଷ୍ଟ ଲୋକଙ୍କ ତୁଳନାରେ ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା ଅଧିକ ବଢାଇଥାଏ । ତେବେ ଏହି ରିସର୍ଚ୍ଚ ପାଇଁ ୪୦ରୁ ୫୦ ବର୍ଷ ମଧ୍ୟରେ ୩୪, ୨୬୯ଜଣ ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ହେଲ୍ଥ ସେଣ୍ଟରରେ ପ୍ରତିଭାଗୀଙ୍କର ନିୟମିତ ପରୀକ୍ଷଣ କରାଯାଇଥଇଲା । ଯେଉଁଥିରେ ସେମାନଙ୍କ ଉଚ୍ଚତା, ଓଜନ, ବିପି, କୋଲେଷ୍ଟ୍ରଲ, ବ୍ଲଡ ସୁଗାର, ଅଣ୍ଟା ୪ ପଟେ ଜମିଥିବା ଚର୍ବି ଆଦିର ଯାଞ୍ଚ କରାଯାଇଥଇଲା । ଏହି ସମୟରେ ସେମାନଙ୍କ ଜୀବନଶୈଳୀ ଓ ଖାଦ୍ୟପେୟ , ହୃଦରୋଗ ଓ ମଧୁମେହ ଇତିହାସ , ଶିକ୍ଷା ପରି ସାମାଜିକ ଓ ଆର୍ଥିକ କାରକ ବିଷୟରେ ବି ସୂଚନା ସଂଗ୍ରହ କରାଯାଇଥିଲା ।

ସମସ୍ତ ପ୍ରତିଭାଗୀଙ୍କୁ ମେଟାବଲିଜିମ୍ ସିଣ୍ଡ୍ରୋମରେ ପୀଡିତ ବ୍ୟକ୍ତି ଭାବରେ ବର୍ଗୀକୃତ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡିଥିଲା ମେଟାବଲିଜିମ୍ ସିଣ୍ଡ୍ରୋମ ଥିବା ମଧ୍ୟ ବୟସ୍କଙ୍କୁ ଅନ୍ୟମାନଙ୍କ ତୁଳନାରେ ପ୍ରାୟ ଅଢେଇ ବର୍ଷ ପୂର୍ବରୁ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ରିକ୍ସ ରହିଥାଏ । ଏହି ରିସର୍ଚ୍ଚରେ ରକ୍ତଚାପ ହୃଦଘାତ ଓ ଷ୍ଟ୍ରୋକର ସବୁଠାରୁ ବଡ କାରକ ଭାବରେ ସାମ୍ନାକୁ ଆସିଛି । ରିସର୍ଚ୍ଚରେ କୁହାଯାଇଛି ୪୦ ବର୍ଷରୁ ଅଧିକ ବୟସର ମହିଳାମାନେ ବିଶେଷ ଭାବରେ ଏହା ଉପରେ ଧ୍ୟାନ ଦେବା ଉଚିତ ।

Get real time updates directly on you device, subscribe now.