ସାବଧାନ୍ ! ଏହି ନକଲି କୋର୍ଟ ୱେବସାଇଟରୁ ସତର୍କ ରହିବାକୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟର ଏକ ନକଲି ୱେବସାଇଟର ଖୁଲାସା କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ଖବର ମୁତାବକ, ସୁପ୍ରିମକୋର୍ଟର ଏହି ନକଲି ୱେବସାଇଟ୍ ଫିସିଂ ଆକ୍ରମଣ ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କାହାଠାରୁ ବ୍ୟକ୍ତିଗତ, ଆର୍ôଥକ କିମ୍ବା ଗୋପନୀୟ ତଥ୍ୟ ମାଗନ୍ତି ନାହିଁ ।

ବିଜ୍ଞପ୍ତିରେ କ’ଣ କୁହାଯାଇଛି ?
ଖବର ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ଯେ, ଫିସିଂ ଆକ୍ରମଣ ସହ ଜଡିତ ସୂଚନା ଗ୍ରହଣ କରାଯାଇଛି । ଅଫିସିଆଲ୍ ୱେବସାଇଟ୍ କପି କରୁଥିବା ଏକ ୱେବସାଇଟ୍ ତିଆରି କରାଯାଇଛି । ଏହି ୱେବସାଇଟ୍ ମାଧ୍ୟମରେ ସାଇବର ଆକ୍ରମଣକାରୀମାନେ ବ୍ୟକ୍ତିଗତ ସୂଚନା ଏବଂ ଗୋପନୀୟ ତଥ୍ୟ ମାଗୁଛନ୍ତି ବୋଲି କୋର୍ଟ ସୂଚନା ଦେଇଛନ୍ତି । ଏହି ୱେବସାଇଟ୍ ଗୁଡ଼ିକରେ ଯେକୌଣସି ଭିଜିଟରକୁ କୌଣସି ବ୍ୟକ୍ତିଗତ ସୂଚନା ସେୟାର ନକରିବାକୁ ପରାମର୍ଶ ଦିଆଯାଇଛି ।

ସୁପ୍ରିମକୋର୍ଟ ରେଜିଷ୍ଟ୍ରି କହିଛନ୍ତି ଯେ, ଲୋକମାନେ ଏହାର ସତ୍ୟତା ନଜାଣି ଲିଙ୍କରେ କ୍ଲିକ୍ କିମ୍ବା ସେୟାର କରିବା ଉଚିତ୍ ନୁହେଁ । କୋର୍ଟ କହିଛନ୍ତି ଯେ, ଯଦି କେହି ଏପରି ସାଇବର ଆକ୍ରମଣର ଶିକାର ହୋଇଛନ୍ତି, ତେବେ ସେ ତାଙ୍କର ସମସ୍ତ ଅନଲାଇନ୍ ଆକାଉଣ୍ଟର ପାସୱାର୍ଡ ବଦଳାଇବା ଉଚିତ ଏବଂ ତାଙ୍କ ବ୍ୟାଙ୍କ, କ୍ରେଡିଟ କାର୍ଡ କମ୍ପାନୀକୁ ମଧ୍ୟ ଜଣାଇବା ଉଚିତ । ଏହି ୱେବସାଇଟ୍ ଗୁଡିକ ବିଷୟରେ ଏଜେନ୍ସିଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି ।

ଏହି ୱେବସାଇଟ୍ ଗୁଡିକୁ ଏଡ଼ାନ୍ତୁ :-
ସର୍ବୋଚ୍ଚ ଅଦାଲତ ଅନୁଯାୟୀ, ଫିସିଂ ଆଟାକ୍ ପାଇଁ ଏହି https://cbins/scigv.com and https://cbins.scigv.com/offence ୱେବସାଇଟ୍ ବ୍ୟବହୃତ ହେଉଛି । ଏହାସହ URL – https://cbins.scigv.com/offence ମାଧ୍ୟମରେ ଲୋକଙ୍କଠାରୁ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ କରାଯାଉଛି । କୋର୍ଟର ଅଫିସିଆଲ୍ ୱେବସାଇଟ୍ ହେଉଛି www.sci.gov.in ।