fbpx

ISRO ସହ ଆଲୋଚନା କଲା IMD: ଭୁବନେଶ୍ୱରରେ ବସିବ ‘Doppler Radar, ବିଦେଶୀ ସାଟେଲାଇଟର ଆବଶ୍ୟକତା ପଡ଼ିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଭାରତ ତା’ର ନିଜସ୍ୱ ସାଟେଲାଇଟ ମାଧ୍ୟମରେ ବଜ୍ରପାତ ସମ୍ପର୍କରେ ସମସ୍ତ ସୂଚନା ପାଇ ପାରିବ । ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇବାକୁ ପାଣିପାଗ ବିଭାଗ ସାଟେଲାଇଟ ଓ ଭୂପୃଷ୍ଠ ଷ୍ଟେସନ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ । ଭାରତୀୟ ସାଟେଲାଇଟରେ ଲାଇଟନିଂ ଡିଟେକ୍ସନ ସିଷ୍ଟମ ନଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ୟୁରୋପୀୟ ସାଟେଲାଇଟରୁ ତଥ୍ୟ ସଂଗ୍ରହ କରିଥାଏ ।

ତେବେ ଏଣିକି ବଜ୍ରପାତ ଜନିତ ସୂଚନା ପାଇବାକୁ ଆଉ ବିଦେଶୀ ସାଟେଲାଇଟ୍ ଉପରେ ନିର୍ଭର କରିବାକୁ ପଡ଼ିବନି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ଆଲୋଚନା କରିଛି ଆଇଏମଡି । ଇନସାଟ-୪ ସାଟେଲାଇଟରେ ଇସ୍ରୋ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜିବାକୁ ଯୋଜନା କରୁଛି । ଏହା କାର୍ଯ୍ୟକ୍ଷମ ହେବା ଫଳରେ ବଜ୍ରପାତ ଜନିତ ସୂଚନା ପାଇଁ ବିଦେଶୀ ସାଟେଲାଇଟ୍ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।

ଇସ୍ରୋ ଦ୍ୱାରା ପ୍ରସ୍ତୁତ ଭାରତୀୟ ସାଟେଲାଇଟରେ ଲାଇଟନିଂ ଡିଟେକ୍ସନ ସିଷ୍ଟମ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି । ଏହାଫଳରେ ସମୁଦ୍ର, ପାହାଡ଼ିଆ ଅଞ୍ଚଳରେ ହେବାକୁ ଥିବା ବଜ୍ରପାତ ନେଇ ଆଗୁଆ ସୂଚନା ମିଳିପାରିବ । ଏଥିସହିତ ବଜ୍ରପାତ ମୃତ୍ୟୁରୁ ରକ୍ଷା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଏକ ବଡ଼ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଏନେଇ ପ୍ରତି ଗାଁ ଓ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଟ୍ରେନିଂ ପ୍ରଦାନ କରାଯିବ । ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୦୨୫ରେ ‘ଡପଲର ୱେଦର ରାଡାର’ ବସିବ । ରାଜଧାନୀରେ ଏହି ରାଡାର ବସିବା ଫଳରେ ଦ୍ୱୈତ ନଗରୀ ପାଣିପାଗ ବିଷୟରେ ଆଗୁଆ ସୂଚନା ମିଳିପାରିବ । ଏହି ରାଡାର ବସାଇବା ପାଇଁ ଗତ ଜୁଲାଇ ମାସରେ ଆଇଏମଡି ପକ୍ଷରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ନିକଟକୁ ଚିଠି ଲେଖାଯାଇଥିଲା ।

Get real time updates directly on you device, subscribe now.