fbpx

ମରୁଡ଼ି ଆଶଙ୍କା ଭିତରେ ଆଶାର ସଞ୍ଚାର: ୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩ ତାରିଖରୁପାଗରେ ପରିବର୍ତ୍ତନ ଘଟିବ । ବାୟୁ ଚଳନରେ ପରିବର୍ତ୍ତନର ସମ୍ଭାବନା ହେତୁ ୩ ତାରିଖରୁ ବର୍ଷାର ବିସ୍ତୃତି ବଢିବ । ୩ ଓ ୪ରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସେପ୍ଟେମ୍ବର ୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ବଜ୍ରପାତଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଅନୁଗୋ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ମାଲକାନଗିରି, କୋରାପୁଟ, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଭାଦ୍ରବ ମାସ ଆସନ୍ନ ହୋଇଥିବାବେଳେ ବର୍ଷା ଉଭାନ ହୋଇଯାଇଛି । ବର୍ଷା ହେଉନଥିବାରୁ ଚାଷଜମି ଫାଟି ଆଁ କଲାଣି । ତଳି ଜଳିଗଲାଣି ।

ବର୍ତ୍ତମାନ ସମୟରେ ତଳି ରୁଆରୁଇ ପରେ ବଛାବଛି କାମ ହେବା କଥା । ମାତ୍ର ବର୍ଷା ଅଭାବରୁ ସବୁକିଛି ବିଗିଡ଼ି ଯାଇଛି । ଚାଷୀ ମୁଣ୍ଡରେ ହାତଦେଇ ବସିବା ସହ ବର୍ଷାକୁ ଅପେକ୍ଷା କରିଛି । ଲାଗଲାଗ ବର୍ଷା ହେବାରୁ ତରବରିଆ ଭାବେ ଚାଷୀ ତଳି ରୋଇ ଦେଇଥିଲା । ହେଲେ ତଳି ରୋଇବାର କିଛିଦିନ ପରେ ବର୍ଷା ଉଭାନ ହୋଇଗଲା । ଏବେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଥିବାବେଳେ ପାଣିପାଗ ବିଭାଗର ସୂଚନା କିଛି ପରିମାଣରେ ଆଶ୍ୱସ୍ତି ଆଣି ଦେଇଛି ।

Get real time updates directly on you device, subscribe now.