fbpx

(Video)ଜି ୨୦ ସମ୍ମିଳନୀ ଲାଗି ଭାରତର ଗରିବୀ ଉପରେ ଢାଙ୍କି ଦିଆଯାଇଛି ସବୁଜ ଚାଦର, ଭିଡିଓ ସେୟାର କରି କଡା ଭାଷାରେ ସମାଲୋଚନା କଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଆମେରିକା,ବ୍ରିଟେନ, ଚୀନ ସହିତ ବହୁ ଦେଶର ନେତା ଏବେ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ବିରୋଧୀ ଦଳ ଲଗାତର ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହି ହାଇ ପ୍ରୋଫାଇଲ ପ୍ରୋଗ୍ରାମ ଲାଗି କେନ୍ଦ୍ର ସରକାର ଦିଲ୍ଲୀର ସୌନ୍ଦର୍ଯ୍ୟକରଣ କରିଛନ୍ତି । ଏହି କ୍ରମରେ ସହରର ଝୁମ୍ପୁଡି ବସ୍ତି ଅଞ୍ଚଳକୁ କଭର କରି ଦିଆଯାଇଛି । ଏହାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଦେଶର ଗରିବ ଲୋକଙ୍କୁ ଲୁଚାଉଛନ୍ତି । ନିଜର ଅତିଥିଙ୍କ ସାମ୍ନାରେ ଭାରତର ପ୍ରକୃତ ପରିଚୟ ଲୁଚାଇବାରେ କୌଣସି ଯଥାର୍ଥତା ନାହିଁ ।

ଜି ୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସରକାର ଝୁମ୍ପୁଡି ଘରଗୁଡିକୁ ଲୁଚାଇବା ବା ନଷ୍ଟ କରିଦେବାର ଯେଉଁ ପ୍ରୟାସ କରିଛନ୍ତି ତାହାକୁ ନେଇ କଂଗ୍ରେସ ଶନିବାର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛି । ରାହୁଲ ଗାନ୍ଧୀ କହିଛନ୍ତି, ଭାରତର ବାସ୍ତବିକତା ଅତିଥିଙ୍କୁ ଲୁଚାଇବାର କୌଣସି ଆବଶ୍ୟକତା ନାହିଁ । କଂଗ୍ରେସ ପକ୍ଷରୁ ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇ ସରକାର କିପରି ଜି ୨୦ ସମ୍ମିଳନୀ ଲାଗି ଦିଲ୍ଲୀର ଝୁମ୍ପୁଡି ବସ୍ତି ଅଞ୍ଚଳକୁ ସବୁଜ ଚାଦରରେ ଘୋଡାଇ ରଖିଛନ୍ତି ତାହା ଦର୍ଶାଇଛନ୍ତି ।

କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଜି ୨୦ର ଉଦ୍ଦେଶ୍ୟ ପ୍ରମୁଖ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକତ୍ର କରି ବୈଶ୍ୱିକ ସମସ୍ୟ ସମାଧାନର ସହଯୋଗାତ୍ମକ ଉପାୟ ବାହାର କରିବା । କିନ୍ତୁ ଏହି କାର୍ଯ୍ୟକ୍ରମ ଲାଗି ଝୁମ୍ପୁଡି ବସ୍ତିକୁ ଢାଙ୍କି ରଖିବା କିମ୍ବା ନଷ୍ଟ କରିଦେବା କେତେଦୂର ସମୀଚିନ । ତେବେ ଝୁମ୍ପୁଡି ବସ୍ତି ଢଙ୍କାଯିବାର ଭିଡିଓ ସେୟାର କରିବା ପୂର୍ବରୁ ବିରୋଧୀ ଦଳ ଜି୨୦ ସମ୍ମିଳନୀ ପୂର୍ବରୁ ବୁଲା କୁକୁର ଓ ଅନ୍ୟ ପଶୁଙ୍କ ପ୍ରତି କ୍ରୁରତାର ଭିଡିଓ ମଧ୍ୟ ସେୟାର କରିଥିଲେ । ଝୁମ୍ପୁଡି ବସ୍ତିର ଜଣେ ନିବାସୀ କହିଛନ୍ତି ସରକାର ଆମକୁ କୀଟପୋକ ପରି ଭାବୁଛନ୍ତି । ଆମେ କ’ଣ ମଣିଷ ନୋହୁଁ ।

Get real time updates directly on you device, subscribe now.