୧୯୫୦ରେ ଭାରତକୁ ମିଳିଥିଲା ସ୍ଥାୟୀ ସଦସ୍ୟତା ଅଫର: ମାତ୍ର ନେହରୁ ତାହାକୁ ଗ୍ରହଣ କରିନଥିଲେ, କ’ଣ ରହିଥିଲା କାରଣ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏବେ ସ୍ଥାୟୀ ସଦସ୍ୟ ଭାବେ ଆମେରିକା, ଋଷିଆ, ଚୀନ, ଫ୍ରାନ୍ସ ଓ ଇଂଲଣ୍ଡ ପରି ୫ଟି ରାଷ୍ଟ୍ର ରହିଛନ୍ତି । ଏଥିସହିତ ୧୦ ନିର୍ବାଚିତ ଅସ୍ଥାୟୀ ସଦସ୍ୟ ରହିଥିବା ବେଳେ ସେମାନେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିଥାନ୍ତି । ଭାରତ ଗତବର୍ଷ ଡିସେମ୍ବର ମାସରେ ଅସ୍ଥାୟୀ ସଦସ୍ୟ ଭାବେ ନିଜର କାର୍ଯ୍ୟକାଳ ସମାପ୍ତ କରିଥିଲା । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଭିଟୋ କ୍ଷମତା ପ୍ରୟୋଗ କରିବାର କ୍ଷମତା କେବଳ ସ୍ଥାୟୀ ସଦସ୍ୟ ରାଷ୍ଟ୍ରର ରହିଥାଏ ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତ ବର୍ଷ ବର୍ଷ ଧରି ପ୍ରୟାସ କରିଆସୁଥିଲେ ହେଁ ଏ କ୍ଷେତ୍ରରେ ସଫଳ ହୋଇପାରି ନାହିଁ । ଗୋଟିଏ ନୂଆ ଦେଶକୁ ସ୍ଥାୟୀ ସଦସ୍ୟ ଭାବେ ମାନ୍ୟତା ମିଳିବାକୁ ହେଲେ ୫ ଜଣ ସ୍ଥାୟୀ ରାଷ୍ଟ୍ର ଏନେଇ ସହମତି ପ୍ରକାଶ କରିବା ଜରୁରୀ । ତେବେ ଏ କ୍ଷେତ୍ରରେ ଭାରତର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଚୀନ । ମାତ୍ର ଏକଦା ସମୟ ଥିଲା ଭାରତକୁ ସ୍ଥାୟୀ ସଦସ୍ୟତା ଅଫର ମିଳିଥିଲା । ମାତ୍ର ଭାରତ ଏହାକୁ ପ୍ରତ୍ୟାଖାନ କରିଦେଇ ଚୀନକୁ ଦେବା ଆବଶ୍ୟକ ବୋଲି କହିଥିଲା । ଉକ୍ତ ଭୁଲର ପରିଣାମ ଆଜି ଭାରତ ଭୋଗୁଛି । ଆତଙ୍କବାଦ, ପାକିସ୍ତାନ ବିବାଦ ଓ କଶ୍ମୀର ସମସ୍ୟା ପରି ବହୁ ପ୍ରସଙ୍ଗରେ ଚୀନ ଭାରତକୁ ମିଳିତ ଜାତିସଂଘରେ ଅବରୋଧ କରି ଆସୁଛି ।

କିଛି ବିଶେଷଜ୍ଞଙ୍କ ମତରେ, ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ସ୍ଥାୟୀ ସଦସ୍ୟତା ଅଫରକୁ ପ୍ରତ୍ୟାଖାନ କରିଦେଇଥିଲେ । ଏ କ୍ଷେତ୍ରରେ ନେହରୁ ଚୀନକୁ ପ୍ରାଥମିକତା ଦେଇଥିଲେ । ଭାରତକୁ ସହାୟତା ଦେବାକୁ ଯାଇ ଆମେରିକା ୧୯୫୦ ମସିହା ଅଗଷ୍ଟ ମାସରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନେଇ ନେହରୁଙ୍କୁ ଅଫର ଦେଇଥିଲା । ମାତ୍ର ନେହରୁ ଚିଠିରେ ଲେଖିଥିଲେ, ଭାରତ ସୁରକ୍ଷା ପରିଷଦରେ ଚୀନର ସ୍ଥାନ ନେବା ଆବଶ୍ୟକ ବୋଲି ଆମେରିକା ପ୍ରସ୍ତାବ ଦେଇଛି । ଭାରତ ନିଶ୍ଚିତ ଭାବେ ଏହାକୁ ଗ୍ରହଣ କରିପାରିବ ନାହିଁ । ଏହାଦ୍ୱାରା ଚୀନ ସହିତ ମତଭେଦ ହେବ । ଚୀନ ପରି ମହାନ ଦେଶ ସୁରକ୍ଷା ପରିଷଦରେ ନ ରହିବା ଅନୁଚିତ ହେବ ।