ନୂଆଦିଲ୍ଲୀ: ପଥରର କଳାକୃତିକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟଙ୍କ ବିଶାଳକାୟ ରଥ ପରି ଏହି ମନ୍ଦିରକୁ ପ୍ରସ୍ତୁତ କରାଯାଇଛି । ଏହାକୁ ୭ଟି ଘୋଡ଼ା ଟାଣୁଥିବାର ଆକୃତି ମଧ୍ୟ ଦିଆଯାଇଛି । ଏହି ରଥରେ ୧୨ ଯୋଡ଼ା (୨୪ଟି) ଚକ ମଧ୍ୟ ରହିଛି । ପ୍ରତ୍ୟେକ ଚକରେ ସୁନ୍ଦର କଳାକୃତି କୋଦିତ ହୋଇ ରହିଛି । ଏହି ଚକ୍ରରେ କେବଳ ସଂସ୍କୃତି ନୁହେଁ, ବିଜ୍ଞାନ ସହିତ ମଣିଷ ଦୈନନ୍ଦିନ ଜୀବନଚର୍ଯ୍ୟା ସହ ଜଡ଼ିତ ଅନେକ ବୈଜ୍ଞାନିକ ଘଟଣା ମଧ୍ୟ ରହିଥାଏ ।
ଏହି ସାରା ଦୁନିଆ କିପରି ସୂର୍ଯ୍ୟଙ୍କ ଶକ୍ତିର ଆଧାରରେ ପରିଚାଳନା ହୋଇଥାଏ, ତାହା ଏହି କୋଣାର୍କ ଚକ୍ରରୁ ଜଣା ପଡ଼ିଯାଏ । ଏଠାରେ ଥିବା ସମସ୍ତ ଚକର ବ୍ୟାସ ୯.୯ ମିଟର ହୋଇଥାଏ । ପ୍ରତ୍ୟେକ ଚକରେ ୮ଟି ମୋଟା ଏବଂ ୮ଟି ପତଳା ଅଖ ରହିଛି । ଏହି ଅଖ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଯାଉଥିବା ସମସ୍ତ ଦର୍ଶକ ବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଆସନ୍ତୁ ବୁଝିବା ଏହି ‘କୋରାର୍କ ଚକ୍ର’ ପଛର ବିଜ୍ଞାନ
ରଥର ସାତଟି ଘୋଡ଼ା ସପ୍ତାହର ୭ ଦିନକୁ ବୁଝାଇଥାଏ । ଏହାପରେ ୧୨ ଯୋଡ଼ା ଚକ ବର୍ଷକୁ ୧୨ ମାସର ପ୍ରତୀକ । ସେହିପରି ୨୪ ଚକ ଅର୍ଥାତ୍ ଗୋଟିଏ ଦିନର ୨୪ ଘଣ୍ଟା । ଏହାବ୍ୟତୀତ ୮ଟି ମୋଟା ଅଖ ୮ ପ୍ରହର (୧ ପ୍ରହର=୩ ଘଣ୍ଟା) ସମୟକୁ ଦର୍ଶାଇଥାଏ । ଏଭଳି ସଂଯୋଗ ରହିଥିବାରୁ ଏହି ଚକ୍ରକୁ ଜୀବନର ଚକ୍ର ବୋଲି ମଧ୍ୟ କୁହାଯାଇଥାଏ । ଏହି ଚକ୍ରରୁ ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ ସମ୍ପର୍କରେ ମଧ୍ୟ ଜଣା ପଡ଼ିଥାଏ । ତୟୋଦଶ ଶତାବ୍ଦୀରେ ପ୍ରଥମ ନରସିଂହ ଦେବ ଏହାକୁ ନିର୍ମାଣ କରାଇଥିଲେ ।
ଏହି ଚକ୍ରରେ ଥିବା ସମସ୍ତ ପତଳା ଅଖ ମଧ୍ୟରେ ୩୦ଟି ଦାନା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଅଖ ମଧ୍ୟରେ ଥିବା ଦାନା ୩ ମିନିଟର ସମୟକୁ ସୂଚିତ କରିଥାଏ । ଏଥିରୁ ୩ ଘଣ୍ଟାର ସମୟ ଜାଣି ହୋଇଥାଏ, ଅର୍ଥାତ୍ ୧୮୦ ମିନିଟ୍ । ସେହିପରି ମୋଟା ଅଖଗୁଡ଼ିକ ମଧ୍ୟରେ ରହିଥିବା ପତଳା ଅଖଗୁଡ଼ିକ ଦେଢ ଘଣ୍ଟା(୯୦ ମିନିଟ୍) ର ସମୟକୁ ଦର୍ଶାଇଥାଏ । ମଝିରେ ମଝିରେ ଉପର ଆଡ଼କୁ ଥିବା ମୋଟା ଅଖ ରାତିର ୧୨ଟା ସମୟକୁ ବୁଝାଇଥାଏ ।
ଏହାସହିତ ୧୨ ଯୋଡ଼ା ଚକ କେବଳ ୧୨ ମାସ ନୁହେଁ, ଏହାସହିତ ୧୨ଟି ରାଶିକୁ ମଧ୍ୟ ଇଙ୍ଗିତ କରିଥାଏ । ଏହାକୁ କାନୁନର ଚକ୍ର ବୋଲି କୁହାଯାଏ । ପ୍ରତ୍ୟେକ ଚକର ଆକାର ସମାନ ଭାବରେ ନିର୍ମାଣ କରାଯାଇଛି । କିନ୍ତୁ ବିଭିନ୍ନ ଚକରେ ରହିଛି କିଛି ଅଲଗା କାହାଣୀ । ଚକ ମଝିରେ ପ୍ରସ୍ତୁତ ହୋଇଥିବା ଗୋଲାକାର କଳାକୃତି ଅଲଗା ଅଲଗା ଘଟଣା ବିଷୟରେ ବୁଝାଇଥାଏ । ଚକରେ ଥିବା କେନ୍ଦ୍ର ଅର୍ଥାତ୍ ଏକ୍ସେଲ ୧ ଫୁଟ ବାହାରକୁ ବାହାରିଥାଏ । ଏହି ରିମରେ ଫୁଲ-ପତ୍ର, ପଶୁପକ୍ଷୀ ଇତ୍ୟାଦି ଖୋଦିତ ହୋଇ ରହିଛି । ଚଉଡ଼ା ହୋଇ ରହିଥିବା ଅଖଗୁଡ଼ିକର ମଧ୍ୟଭାଗରେ ତିଆରି ହୋଇଥିବା ଗୋଲାକାର କଳାକୃତିରେ ମହିଳାମାନଙ୍କର ବିଭିନ୍ନ ମୁଦ୍ରାକୁ ସ୍ଥାନ ଦିଆଯାଇଛି । ଏହା ମହିଳାଙ୍କ ଜୀବନର ଭିନ୍ନ ଭିନ୍ନ କାର୍ଯ୍ୟକୁ ଦର୍ଶାଇଥାଏ ।
ତେବେ ଏହି ଚକଗୁଡ଼ିକ ସନ୍ ଡାଏଲ ଭାବରେ ନିର୍ମାଣ କରାଯାଇଛି । ଏହାଦ୍ୱାରା ସମୟ ମଧ୍ୟ ବାରି ହୁଏ । ୨୪ ଚକରୁ ୨ଟି ଚକ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମଣିଷକୁ ସମୟ ଉପରେ ଧାରଣା ଦେଇଥାଏ । ଯଦି ଚକର ଏକ୍ସେଲର ମଝିରେ ଆଙ୍ଗଳି ରଖାଯାଏ, ତେବେ ଆଙ୍ଗୁଳିର ପ୍ରତିଛବି ଆପଣଙ୍କୁ ଉଚିତ ସମୟ ଦେଖାଇଦେବ ।
ଓଡ଼ିଶାର ଉଚ୍ଚ ସାଂସ୍କୃତିକ ପରମ୍ପରା ଯୋଗୁଁ ଭାରତ ସରକାର କୋଣାକ ଚକ୍ରକୁ ପୁରୁଣା ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୋଟରେ ମଧ୍ୟ ସ୍ଥାନ ଦେଇଥିଲେ । ତେବେ ୨୦୦୮ ଜାନୁୟାରୀ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୋଟର ସାମ୍ନାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ପଛ ପଟରେ କୋଣାର୍କ ଚକ୍ରକୁ ସ୍ଥାନୀତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।