ପ୍ଲାନରେ ଭାରତକୁ ସଫଳତା, ମୋଦୀଙ୍କ ଚକ୍ରବ୍ୟୁହ ଭିତରେ ଫସିଗଲା ଚାଇନା: G-20 ରୁ କ’ଣ ମିଳିଲା ଖୁସି ଖବର?

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଶେଷ ହୋଇ ସାରିଛି । ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ସମ୍ମିଳନୀ ମଧ୍ୟରେ ଏହାକୁ ସବୁଠାରୁ ସଫଳ ସମ୍ମିଳନୀ ବୋଲି କୁହାଯାଇଛି । ସମିଟର ପ୍ରଥମ ଦିନରେ ଗମ୍ଭୀର ସମସ୍ୟା ଉପରେ ଚର୍ଚ୍ଚା ହୋଇଥିବା ବେଳେ ଏ ନେଇ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ବିଭିନ୍ନ ରାଷ୍ଟ୍ରମୁଖ୍ୟ । ଏଥିରେ ମିଡିଲ ଇଷ୍ଟ ୟୁରୋପ କନେକ୍ଟିଭିଟି କରିଡର ଲଞ୍ଚ ଏବଂ ଆଫ୍ରିକାର ଏଣ୍ଟ୍ରି ଉପରେ ମୋହର ଲାଗିଛି । ସେହିପରି ଦ୍ୱିତୀୟ ଦିନରେ ମଧ୍ୟ ସମସ୍ତ ଦେଶ ନୂଆଦିଲ୍ଲୀ ଘୋଷଣାପତ୍ରକୁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏ ନେଇ ସୂଚନା ଦେଇଛନ୍ତି ।

୧- ନୂଆଦିଲ୍ଲୀ ଘୋଷଣାପତ୍ରକୁ ସହମତ୍ୟ

ଜି-୨୦ ସଦସ୍ୟ ଦେଶର ସହମତିରେ ‘ନୂଆଦିଲ୍ଲୀ ଲିଡର୍ସ ସମିଟ ଡିକ୍ଲେସନ'(ନୂଆଦିଲ୍ଲୀ ଘୋଷଣାପତ୍ର)କୁ ସହମତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ମଣ୍ଡପମ୍ ର ଦ୍ୱିତୀୟ ସେଶନକୁ ସମ୍ବୋଧିତ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଆମର କଠିନ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗରେ ନୂଆଦିଲ୍ଲୀ ଜି-୨୦ ଲିଡର୍ସ ଶିଖର ସମ୍ମିଳନୀ ଘୋଷଣା ଉପରେ ସାଧାରଣ ସହମତି ପ୍ରଦାନ କରାଯାଇଛି । ତେବେ ପ୍ରଥମେ ଋଷ-ୟୁକ୍ରେନ ପ୍ରସଙ୍ଗକୁ ଏହି ଘୋଷଣାପତ୍ରକୁ ମଞ୍ଜୁରୀ ମିଳିବା ନେଇ ସମସ୍ୟ ସୃଷ୍ଟି ହୋଇଥିଲା ।

୨- ଭାରତ-ମିଡିଲ ଇଷ୍ଟ ୟୁରୋପ କନେକ୍ଟିଭିଟି କରିଡର:

ଜି-୨୦ କମିଟର ପ୍ରଥମ ଦିନରେ ଇଣ୍ଡିଆ ମିଡିଲ ଇଷ୍ଟ ୟୁରୋପ କନେକ୍ଟିଭିଟି କରିଡର ଲଞ୍ଚ କରାଯାଇଛି । ଏହାଦ୍ୱାରା ଇନଫ୍ରା ଡିଲରୁ ସିପିଙ୍ଗ ସମୟ ଏବଂ ପରିବହନ ହ୍ରାସ ପାଇବ । ଯାହା ଫଳରେ ବାଣିଜ୍ୟ ଶସ୍ତା ଏବଂ ତୀବ୍ର ହୋଇପାରିବ । ଏହାକୁ ଚୀନ ବେଲ୍ଟ ଏବଂ ରୋଡ ପରିଯୋଜନାର ବିକଳ୍ପ ଭାବରେ ଦର୍ଶଯାଇଛି । ୟୁଏଇ, ସାଉଦି ଆରବ, ଜର୍ଡାନ ଏବଂ ଇସ୍ରାଏଲ ବାଟ ଦେଇ ୟୁରୋପ ପର୍ଯ୍ୟନ୍ତ ରେଳମାର୍ଗ ଏବଂ ବନ୍ଦର ସଂଯୋଗକୁ ଏକତ୍ର କରିବା ହେଉଛି ଏହି କରିଡରର ମୁଖ୍ୟ ଉଦ୍ଦେଶ୍ୟ । ରେଳ ସଂଯୋଗରୁ ଭାରତ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟ ପ୍ରାୟ ୪୦% ପର୍ଯ୍ୟନ୍ତ ତୀବ୍ର ହୋଇପାରେ । ଭାରତର ଏହି ପ୍ରସ୍ତାବ ଉପରେ ସଦସ୍ୟ ଦେଶଗୁଡ଼ିକର ସହମତି ଚୀନକୁ ଏକ ବଡ଼ ଝଟକା ଦେଇଛି ।

୩- ଗ୍ଲୋବାଲ ବାୟୋଫୁଲ ଆଲାଏନ୍ସ ଲଞ୍ଚ:

ଫୁଏଲ ବ୍ଲେଣ୍ଡିଙ୍ଗ କ୍ଷେତ୍ରରେ ସମସ୍ତ ରାଷ୍ଟ୍ରକୁ ଏକତ୍ର ହୋଇ କାମ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ପେଟ୍ରୋଲରେ ଇଥାନଲ ବ୍ଲେଣ୍ଡିଙ୍ଗକୁ ବିଶ୍ୱ ସ୍ତରରେ ୨୦% ପର୍ଯ୍ୟନ୍ତ ନେବା ପାଇଁ ପଦକ୍ଷେପ ନେବା ଉଚିତ୍ । ନଚେତ୍ ଗ୍ଲୋବାଲ ଗୁଡ ପାଇଁ ଅନ୍ୟ କୌଣସି ବ୍ଲେଣ୍ଡିଙ୍ଗ ମିକ୍ସ ଉପରେ କାର୍ଯ୍ୟ କରିବା ନେଇ ମଧ୍ୟ ମୋଦୀ ବୈଠକରେ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ଏନର୍ଜି ସପ୍ଲାଏ ଜାରି ରହିବା ସହ ଜଳବାୟୁ ମଧ୍ୟ ସୁରକ୍ଷିତ ରହିବ । ତେଣୁ ଏହି ଉଦ୍ଦେଶ୍ୟରେ ଗ୍ଲୋବାଲ ବାୟୋଫୁଏଲ ଆଲାଏନ୍ସ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ସ୍ଥାୟୀ ବାୟୋ ଫୁଏଲ୍ସ(ଜୈବ ଇନ୍ଧନ)ର ବ୍ୟବହାରକୁ ବୃଦ୍ଧି କରିବା ହେଉଛି ଗ୍ଲୋବାଲ ବାୟୋଫୁଏଲ୍ସ ଆଲାଏନ୍ସ ଲଞ୍ଚ କରିବାର ମୁଖ୍ୟ ଉଦ୍ଦେଶ୍ୟ ।

୪- ଆଫ୍ରିକା ୟୁନିଅନକୁ ଏଣ୍ଟ୍ରି:

ଜି-୨୦ ସମିଟର ପ୍ରଥମ ଦିନରେ ଭାରତ ଆଫ୍ରିକାନ ୟୁନିଅନକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ପାଇଁ ପ୍ରସ୍ତାବ ରକିଥିଲା । ତେବେ ସମସ୍ତ ଅଧକ୍ଷଙ୍କ ସହମତି ଅନୁସାରେ, ପିଏମ ମୋଦୀ ଏହାକୁ ପାରିତ କରିଛନ୍ତି । ତେବେ ଆଫ୍ରିକାରେ ଚୀନର ପ୍ରଭାବ ବୃଦ୍ଧି ପାଇଥିବା ବେଳେ ଭାରତର ଏହି ପଦକ୍ଷେପ ଏହାର ମୁକାବିଲା କରିବାରେ ପ୍ରମୁଖ ଅସ୍ତ୍ର ପାଲଟିବ । ବିକାଶ ଦିଗରେ ଦ୍ରୁତ ଗତିରେ ବଢୁଥିବା ୧୨ଟି ଦେଶ ମଧ୍ୟରେ ଆଫ୍ରିକାର ନାମ ମଧ୍ୟ ସାମିଲ ରହିଛି ।

୫- 6G ଟେକ୍ନୋଲୋଜିକୁ ସହମତି:

ଭାରତ ଏବଂ ଆମେରିକା ମଧ୍ୟରେ 6G ଟେକ୍ନୋଲୋଜି ଡେଭଲପ୍ କରିବା ପାଇଁ ଆଲୋଚନା ହୋଇଛି । ଏଥିପାଇଁ ପ୍ରସ୍ତୁତ ହୋଇଥିବା ଆଲାଏନ୍ସ ଏବଂ MOU ଟେକ୍ନୋଲୋଜି ଡେଭଲପ୍ କରିବା ସହ ଏହାର ସପ୍ଲାଏ ଚେନ୍ ବିକଶିତ କରିବା ଉପରେ ମଧ୍ୟ କାର୍ଯ୍ୟ କରିବ । ଏହା ଚୀନର କନେକ୍ଟିଭିଟି ଡିଭାଇସ ସେକ୍ଟରରେ ଦବଦବାକୁ ହ୍ରାସ କରିବ । ବର୍ତ୍ତମାନ 5G କ୍ଷେତ୍ରରେ ଚୀନ ସାରା ଦୁନିଆରେ ରାଜ୍ କରୁଛି । ତେବେ 6G ଟେକ୍ନୋଲୋଜିରେ ଭାରତ ଏବଂ ଆମେରିକା ଏହି ରାଜୁତି ଛଡ଼ାଇ ନେବା ପାଇଁ ପ୍ଲାନ କରୁଛନ୍ତି ।