fbpx

ଟିମ୍ ଇଣ୍ଡିଆର ବିଜୟ ପରେ ଚାଲିଲା ‘ରାଜନୀତିର ବ୍ୟାଟିଂ’: କିଏ ‘ଇଣ୍ଡିଆ’କୁ ତ କିଏ ‘ଭାରତ’କୁ ଜଣାଇଲା ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି । ଭାରତୀୟ ପେସର ମହମ୍ମଦ ସିରାଜ ୧୬ଟି ବଲରେ ୫ଟି ୱିକେଟ ଅକ୍ତିଆର କରି ଏକାଧିକ କୀର୍ତ୍ତିମାନ ରଚିଛନ୍ତି । ତେବେ ଏହି ବିଜୟ ପରେ ଟିମ୍ ଇଣ୍ଡିଆକୁ ଚାରିଆଡ଼ୁ ଛୁଟିଥିଲା ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ଏହି ଅବସରରେ ଏକ ନିଆରା ପ୍ୟାଟର୍ଣ୍ଣ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଭାରତ ଏସିଆ କପ ଫାଇନାଲରେ ବିଜୟ ହାସଲ କରିବା ପରେ କିଛି ବ୍ୟକ୍ତି ‘ଇଣ୍ଡିଆ’କୁ ଅଭିନନ୍ଦନ ଜଣାଇଥିବା ବେଳେ ଆଉ କିଛି ବ୍ୟକ୍ତି ‘ଭାରତ’କୁ ଅଭିନନ୍ଦନ ଜଣାଇଥିଲେ । ନିକଟରେ ‘ଇଣ୍ଡିଆ’- ‘ଭାରତ’ ନାମ ପରିବର୍ତ୍ତନକୁ ନେଇ ସାରା ଦେଶରେ ବିବାଦ ଚାଲିଥିବା ବେଳେ ଆଜି କ୍ରିକେଟର ବ୍ୟାଟିଂରେ ମଧ୍ୟ ରାଜନୀତିର ରଙ୍ଗ ଦେଖିବାକୁ ମିଳିଥିଲା ।

ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଯାଦବ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ‘ଇଣ୍ଡିଆ’ ଶବ୍ଦ ବ୍ୟବହାର କରି ଟ୍ୱିଟ କରିଥିଲେ । ସେ ଶେଷରେ ‘ଜିତି ଚାଲ ଇଣ୍ଡିଆ’ ବୋଲି ଲେଖିଥିଲେ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ‘ଇଣ୍ଡିଆ’ ଶବ୍ଦର ବ୍ୟବହାର କରିଥିଲେ । ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟିମକୁ ବଧାଈ ଜଣାଇବା ସହିତ ‘ଇଣ୍ଡିଆ’ ଶବ୍ଦ ବ୍ୟବହାର କରିଥିଲେ । ଭାଜପା ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ବଧାଈ ଜଣାଇବା ଅବସରରେ ମୋଦୀଙ୍କର ଏକ ଫଟୋ ବ୍ୟବହାର କରିଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ‘ଭାରତ’, ଶବ୍ଦ ବ୍ୟବହାର କରିଥିଲେ ।

ସୂଚନାଯୋଗ୍ୟ ଯେ, ଜି-୨୦ ଡିନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା । ତେଣୁ କେନ୍ଦ୍ର ସରକାର ‘ଇଣ୍ଡିଆ’କୁ ବଦଳାଇ ‘ଭାରତ’ କରିବାକୁ ଯୋଜନା କରୁଛନ୍ତି ଓ ସେଥିପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.