fbpx

ଓଡ଼ିଶା ବିଧାନସଭାରେ ପ୍ରତିନିଧିତ୍ୱ କରିବେ ୪୭ ଜଣ ମହିଳା: ଲୋକସଭାକୁ ଯିବେ ୧୮୦ ଜଣ ମହିଳା ସାଂସଦ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଗତକାଲି ମହିଳା ସଂରକ୍ଷଣ ବିଲ କେନ୍ଦ୍ର କ୍ୟାବିନେଟରେ ପାସ ହୋଇଥିବା ବେଳେ ଆଜି ତାହାକୁ ଲୋକସଭାରେ ମଞ୍ଜୁରୀ ମିଳିଛି । ଫଳରେ ଏଣିକି ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ତେବେ ଏପରି ସ୍ଥଳେ ଆଗାମୀ ନିର୍ବାଚନରେ ମହିଳାମାନେ କେତେ ସିଟରେ ନିର୍ବାଚନ ଲଢ଼ିବେ ତା’ ନଜର ପକାଇବା ଆବଶ୍ୟକ ।

ବର୍ତ୍ତମାନ ଲୋକସଭାର ମୋଟ ୫୪୫ ସାଂସଦଙ୍କ ମଧ୍ୟରୁ ୧୫ ପ୍ରତିଶତରୁ କମ୍ ଅର୍ଥାତ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଯାଇଛନ୍ତି । ରାଜ୍ୟସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୪ ପ୍ରତିଶତ ରହିଛି । ଦେଶର ୧୦ଟି ରାଜ୍ୟର ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି । ସେହି ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡ଼ୁଚେରୀ ସାମିଲ ରହିଛନ୍ତି ।

ଇତିହାସରେ ପ୍ରଥମ ଥର ପାଇଁ ଲୋକସଭା ଗୃହକୁ ୩୩ ପ୍ରତିଶତ ମହିଳା ସାଂସଦ ପ୍ରବେଶ କରିବେ । ଲୋକସଭାର ୫୪୫ଟି ଆସନ ମଧ୍ୟରୁ ୩୩ ପ୍ରତିଶ ଅର୍ଥାତ ୧୮୦ଟି ଆସନରେ ମହିଳା ପ୍ରତିନିଧିତ୍ୱ କରିବେ । ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନରୁ ୮ଟି, ଆସମରେ ୧୪ଟି ଆସନରୁ ୫ଟି, ବିହାରରେ ୪୦ଟି ଆସନରୁ ୧୪ଟି, ଛତିଶଗଡ଼ରେ ୧୧ରୁ ୪ଟି, ଓଡ଼ିଶାରେ ୨୧ରୁ ୭ଟି ଆସନରେ ମହିଳା ପ୍ରତିନିଧିତ୍ୱ କରିବେ । ଗୁଜରାଟରେ ୨୬ରୁ ୯, ହରିୟାଣାରେ ୧୦ରୁ ୪, ହିମାଚଳ ପ୍ରଦେଶରେ ୪ରୁ ୧ଟି, ଜମ୍ମୁ କଶ୍ମୀରରେ ୫ଟିରୁ ୨ଟି, ଝାଡ଼ଖଣ୍ଡରେ ୧୬ଟିରୁ ୫ଟି, କର୍ଣ୍ଣାଟକରେ ୨୮ଟିରୁ ୯ଟି, କେରଳରେ ୨୦ଟିରୁ ୭ଟି, ମଧ୍ୟପ୍ରଦେଶରେ ୨୯ଟିରୁ ୧୦ଟି, ମହାରାଷ୍ଟ୍ରରେ ୪୮ଟିରୁ ୧୬ଟି, ଦିଲ୍ଲୀରେ ୭ଟିରୁ ୨ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇପାରେ ।

ତେବେ ଯେଉଁସବୁ ରାଜ୍ୟଗୁଡ଼ିକରେ ୧-୨ଟି ଲୋକସଭା ଆସନ ରହିଛି ସେ କ୍ଷେତ୍ରରେ କେତୋଟି ଆସନ ସଂରକ୍ଷିତ ରହିବ ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ । ବିଭିନ୍ନ ରାଜ୍ୟର ବିଧାନସଭାର ଆସନ ସଂଖ୍ୟାର ଏକତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତତ୍ତରପ୍ରଦେଶର ବିଧାନସଭାର ଆସନ ସଂଖ୍ୟା ୪୦୩ ହୋଇଥିବା ବେଳେ ସେଠାରେ ୧୩୪ ଜଣ ମହିଳା ଗୃହକୁ ଯାଇ ପାରନ୍ତି । ଓଡ଼ିଶା ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୧୪୭ ରହିଥିବା ବେଳେ ଏଠାରେ ୪୯ ଜଣ ମହିଳା ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ଆସନ୍ତା ବିଧାନସଭା ନିର୍ବାଚନ ପରେ ରାଜ୍ୟ ବିଧାନସଭା ଗୃହରେ ନାରୀଶକ୍ତିର ପରାକାଷ୍ଠା ଦେଖିବାକୁ ମିଳିପାରେ । ତେଣୁ ଅନ୍ୟ କ୍ଷେତ୍ର ପରି ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳାଙ୍କର ଦବଦବା ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.