fbpx

ମହିଳା ସଂରକ୍ଷଣ ବିଲ୍‍ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ସଂସଦରେ ଆଣି ନାହାନ୍ତି ସରକାର: ଅମିତ୍‍ ଶାହା

ନୂଆଦିଲ୍ଲୀ: ଲୋକସଭାରେ ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍‍-ନାରୀଶକ୍ତି ବନ୍ଦନ ଉପରେ ଆଲୋଚନା ଚାଲିଛି । ବିଲ୍‍ରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ଅର୍ଜୁନ୍‍ରାମ ମେଘୱାଲ ପ୍ରସ୍ତାବ ଆଗତ କରିବା ପରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ବିତର୍କରେ ଭାଗନେଇ କହିଛନ୍ତି ଯେ, ସଂସଦରେ ଏହି ବିଲ୍‍ ରାଜନୈତିକ ଉଦ୍ଦେଶ୍ୟ ନେଇ ତାଙ୍କ ସରକାର ଆଣିନାହାନ୍ତି । ଏହା ଦେଶର ମହିଳାମାନଙ୍କ ସମ୍ମାନ, ସମୃଦ୍ଧି ଏବଂ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସରକାର ଉଦ୍ୟମ କରିଛନ୍ତି । ମହିଳା ସଂରକ୍ଷଣ ବିଲ୍‍ ସଂସଦର ସ୍ୱୀକୃତି ପାଇଲେ ବହୁଦିନ ଧରି ଚାଲିଥିବା ଅପେକ୍ଷାର ଅନ୍ତ ଘଟିବ ବୋଲି ଶ୍ରୀ ଶାହା କହିଛନ୍ତି ।

ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଆଜି ଆଇନ୍‍ ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ମହିଳାମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହିତ ସାମାଜିକ ଏବଂ ଆର୍ଥିକ ଅସମାନତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଆଲୋଚନାରେ ଭାଗନେଇ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍‍କୁ ସମର୍ଥନ କରୁଛି । ଭାରତୀୟ ମହିଳାମାନେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ସହିତ ମହିଳା ସଂରକ୍ଷଣ ବିଲ୍‍କୁ ସଂସଦରେ ପାରିତ କରିବା ପାଇଁ ଶ୍ରୀମତୀ ଗାନ୍ଧୀ ତାଙ୍କ ବକ୍ତବ୍ୟରେ କହିଥିଲେ ।

ମହିଳା ସଂରକ୍ଷଣ ବିଲ୍‍ ଉପରେ ଚାଲିଥିବା ବିତର୍କରେ ଡିଏମ୍‍କେ’ର କାନିମୋରି, ଜନତା ଦଳ ୟୁନାଇଟେଡ୍‍ର ରାଜୀବ ରଂଜନ ସିଂ, ତୃଣମୂଳ କଂଗ୍ରେସର ଡକ୍ଟର କାକଳୀ ଘୋଷ୍‍, ଏନ୍‍ସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ପ୍ରମୁଖ ଭାଗନେଇ ମହିଳା ସଂରକ୍ଷଣ ବିଲ୍‍ ସପକ୍ଷରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଥିଲେ ଯେ, ମହିଳା ସଶକ୍ତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନା ମହିଳା ନେତୃତ୍ୱ କ୍ଷେତ୍ରରେ ସାର୍ଥକ ପଦକ୍ଷେପ । ସେ କହିଥିଲେ ସାରା ବିଶ୍ୱ ଦେଶରେ ମହିଳାମାନଙ୍କ ନେତୃତ୍ୱରେ ହେଉଥିବା ବିକାଶ ପ୍ରକ୍ରିୟାକୁ ମାନ୍ୟତା ପ୍ରଦାନ କରିଛି । କେନ୍ଦ୍ର ସରକାର ଦେଶର ପ୍ରଗତିରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଲୋକସଭା ଓ ବିଧାନସଭା ଗୁଡ଼ିକରେ ମହିଳାମାନଙ୍କ ନେତୃତ୍ୱକୁ ବୃଦ୍ଧି କରିବା ହେଉଛି ‘ନାରୀ ଶକ୍ତି ବନ୍ଦନ’ ଅଧିନିୟମର ଉଦ୍ଦେଶ୍ୟ । ଏହି ଅଧିନିୟମ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ସମ୍ବିଧାନ ପ୍ରଣିତ ହେବା ଠାରୁ ପୁରୁଷ ଏବଂ ମହିଳା ସମାନତା, ଧନ ଜୀବନର ସୁରକ୍ଷା ଓ ଲୋକମାନଙ୍କର ସମ୍ମାନ ରକ୍ଷା ଦିଗରେ ଅସଂଖ୍ୟ ବିପ୍ଳବ ପାଇଁ ପଥ ଉନ୍ମୁକ୍ତ କରିଛି । ନୂଆଦିଲ୍ଲୀରେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଜାତୀୟ ମାନବ ଅଧିକାର ପ୍ରତିଷ୍ଠାନଗୁଡ଼ିକର ସମ୍ମିଳନୀରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ବହୁବର୍ଷ ଧରି ସରକାର ଅନେକ ଉଚ୍ଚାଭିଳାଷୀ ଯୋଜନା ପ୍ରଣୟନ କରି ଆସୁଛନ୍ତି । ଯାହା ଫଳରେ ଲୋକମାନଙ୍କୁ ବାସଗୃହ, ଶୌଚାଳୟ, ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ମିଳିପାରୁଛି ଏବଂ ସେମାନଙ୍କର ସମ୍ମାନ ରକ୍ଷା କରାଯାଇପାରୁଛି ।

ରାଷ୍ଟ୍ରପତି କହିଛନ୍ତି, ଭାରତରେ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇ ଦିଆଯାଇଛି । ସେ କହିଛନ୍ତି, ବର୍ତ୍ତମାନ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ସମାନ ଧରଣର ସଂରକ୍ଷଣ ମହିଳାମାନଙ୍କୁ ଯୋଗାଇଦେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ରାଷ୍ଟ୍ରପତି କହିଛନ୍ତି ମହିଳା-ପୁରୁଷ ସମାନତା କ୍ଷେତ୍ରରେ ଏହା ବର୍ତ୍ତମାନ ସବୁଠୁ ବଡ଼ ବିପ୍ଳବାତ୍ମକ ପଦକ୍ଷେପ ହେବାକୁ ଯାଉଛି ।

Get real time updates directly on you device, subscribe now.