fbpx

ଶାଳଖୁଣ୍ଟା ବାଳିକା ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ହେଲା “Parents as Partners” କାର୍ଯ୍ୟକ୍ରମ

ଉଦଳା: ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭଗ ଆନୁକୂଲ୍ୟରେ ପ୍ୟାରେଣ୍ଟସ ଆଜ ପାର୍ଟନର୍ସ (ସହଭାଗିତା ଭାବରେ ପିତା ମାତା) ବୈଠକ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ସ୍ଥିତ ଶାଳଖୁଣ୍ଟା ବାଳିକା ଆବାସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଳା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ମନୋଜ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଦଳା ତହସିଲଦାର ଶ୍ରୀମତୀ ମନୀଷା ମଧୁଲିକା ହେମ୍ବ୍ରମ ଶାଳଖୁଣ୍ଟା ବାଳିକା ଆଶ୍ରମ ବିଦ୍ୟାଳୟରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜନଜାତି ଓ ଜାତି ବର୍ଗର ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଜନହିତକର ଯୋଜନାଗୁଡିନ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମତୀ ହେମ୍ବ୍ରମ ସରକାରଙ୍କର ଏହି ଅନନ୍ୟ ଆଭିମୁଖ୍ୟର ପ୍ରଶଂସା କରିବା ସହିତ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ଉପାଦେୟ ପ୍ରକଳ୍ପ ଏବଂ ଯୋଜନା ବିଷୟରେ ଆଲୋକପାତ କରିଥିଲେ।

ମୟୂରଭଂଜ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ସରକାରୀ ବାଳିକା ବିଦ୍ୟାଳୟ ଶିକ୍ଷା ଏବଂ ଏହାକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତ ପଦକ୍ଷେପ କିଭଳି ନିଆଯିବ ସେ ବିଷୟରେ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ, ପ୍ରଜ୍ଞା ଦାସ, ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସରୋଜିନୀ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଭାତ ଶଙ୍ଖୁଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସଂପୃକ୍ତ ସମସ୍ତ ଅଭିଭାବକ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏଥି ସହିତ ବିଦ୍ୟାଳୟରେ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଏବଂ ବିଭିନ୍ନ ବିଭାଗ ତରଫରୁ ଯୋଜନା ମାନ ପାଇଁ ବିଭିନ୍ନ ଷ୍ଟଲ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୪୦୦ରୁ ଉର୍ଦ୍ଧ୍ବ ପିତାମାତା ଯୋଗ ଦେଇଥିଲେ। ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବୃନ୍ଦାବନ ପୃଷ୍ଟି ମଂଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ବୁଦ୍ଧିରାମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଶତପଥୀ କହିଥିଲେ ଯେ ବିଦ୍ୟାଳୟ ଶିକ୍ଷା ଅତି ଗୁରୁତ୍ବପୂର୍ଣ୍ଣ ଏବଂ ଏହାର ଉପଯୋଗୀତା ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ହେବା ଉଚିତ। ଏହି ପ୍ୟାରେଣ୍ଟସ୍ ଆଜ୍ ପାର୍ଟନରସ୍ କାର୍ଯ୍ୟକ୍ରମ ଆଗାମୀ ଦିନ ଗୁଡ଼ିକରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଉଦଳା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିକାଶ ଏବଂ ଶିକ୍ଷାର ପ୍ରସାର ପାଇଁ ସମସ୍ତ ଅବିଭାବକ ମାନଙ୍କୁ ଅବଗତ କରାଯିବାର ତଥ୍ୟ ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ କରାଗଲା।

Get real time updates directly on you device, subscribe now.