fbpx

୪ ମାସରୁ ପାକିସ୍ତାନ ଖେଳାଳିଙ୍କୁ ମିଳୁନି ଦରମା: ବିଶ୍ୱକପ ପୂର୍ବରୁ ନେଇପାରନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ତେବେ ଟୁର୍ଣ୍ଣାମେଣ୍ଟରେ ଖେଳିବା ପୂର୍ବରୁ ପାକିସ୍ତାନ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ-ଅପ୍ ମ୍ୟାଚ ଖେଳିବ । କିନ୍ତୁ ଏହାପୂର୍ବରୁ ପାକିସ୍ତାନ ଟିମରେ ଏବେ ଝଡ଼ ସୃଷ୍ଟି ହୋଇଛି । ବୋର୍ଡ ଏବଂ ଖେଳାଳିଙ୍କ ମଧ୍ୟରେ ଏବେ ମତପାର୍ଥକ୍ୟ ଦେଖିବାକୁ ମିଳିଛି । ଗତ ୪ ମାସରୁ ପାକ୍ କ୍ରିକେଟର ମାନଙ୍କୁ ଦରମା ଦିଆଯାଉ ନଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ବିଶ୍ୱକପରେ ଏକ ବଡ଼ ପଦକ୍ଷେପ ନେଇ ପାରନ୍ତି ପାକ୍ ଖେଳାଳି ।

ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମ୍ ଖେଳାଳିମାନେ ଏକ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଟୁର୍ଣ୍ଣାମେଣ୍ଟରେ ଖେଳାଳି ନିଜ ଟି-ଶାର୍ଟରୁ ସ୍ପନସରମାନଙ୍କର ଲୋଗୋ ବୟକଟ୍ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । କଣ୍ଟ୍ରାକ୍ଟକୁ ନେଇ ପାକିସ୍ତାନୀ କ୍ରିକେଟର ଏବଂ ବୋର୍ଡ ମଧ୍ୟରେ ଏଯାବତ୍ ସହମତି ହୋଇ ପାରିନାହିଁ । ତେବେ ଏହି ବିବାଦ ନେଇ ଜଣେ ଖେଳାଳି କହିଛନ୍ତି ଯେ, ବିଶ୍ୱକପରେ ଆମେ ବିନା ଫି’ରେ ଖେଳିବା ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ବୋର୍ଡ ସହ ଜଡ଼ିତ ସ୍ପନସରମାନଙ୍କୁ ଆମେ କାହିଁକି ପ୍ରୋମୋଟ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ସେମାନେ ବୋର୍ଡ ସହ ଜଡ଼ିତ ପ୍ରୋମୋସନାଲ ଇଭେଣ୍ଟରୁ ଦୂରେଇ ରହିପାରନ୍ତି ବୋଲି ଅନୁମାନ କରାଯାଉଛି । ସେହିପରି ବିଶ୍ୱକପ ସମୟରେ ଆଇସିସିର କମର୍ସିଆଲ ଇଭେଣ୍ଟରେ ମଧ୍ୟ ସାମିଲ ନ ହେବା ପାଇଁ କହିଛନ୍ତି ପାକ୍ କ୍ରିକେଟର ।

ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ପ୍ରସ୍ତାବିତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁସାରେ, କ୍ରିକେଟର ୩ ଫର୍ମାଟରେ ଖେଳୁଥିବା ଖେଳାଳିମାନଙ୍କୁ ମାସିକ ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କିନ୍ତୁ ଟାକ୍ସ ଏବଂ ଅନ୍ୟାନ୍ୟ ବାବଦରେ କଟିବା ପରେ ଖେଳାଳିମାନଙ୍କୁ ମାତ୍ର ୬.୬୦ ଲକ୍ଷ ଟଙ୍କା ମିଳିଥାଏ । ତେଣୁ ସେମାନେ ଦରମା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଆସନ୍ତା ୪ ବର୍ଷ ମଧ୍ୟରେ ଆଇସିସିରୁ ପ୍ରାୟ ୨୮୦ କୋଟି ଟଙ୍କା ରାଜସ୍ୱ ପାଇବ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ୍ ଲିଗ୍ ବୋର୍ଡ ମଧ୍ୟ ବିପୁଳ ଆୟ କରିଛି।

Get real time updates directly on you device, subscribe now.