AFSPA ୬ ମାସ ବୃଦ୍ଧି: ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସଶସ୍ତ୍ର ବଳ ବିଶେଷ ଅଧିକାର ନିୟମ (ଏଏଫଏସପିଏ)କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡର କିଛି ଅଂଶରେ ଏଏଫଏସପିଏ ବୃଦ୍ଧି କରାଯାଇଛି । ଗତ ମାର୍ଚ୍ଚ ମାସ ୨୪ ତାରିଖରେ ନିୟମ ଅନୁସାରେ ଏହି ଦୁଇ ରାଜ୍ୟରେ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରାଯାଇଥିଲା । ତେବେ ନୂଆ ନିଷ୍ପତ୍ତି ଆସନ୍ତା ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲା ତିରାପ, ଚାଙ୍ଗଲାଙ୍ଗ, ଲଙ୍ଗଡିଙ୍ଗ ଓ ନମସାଇ ଜିଲ୍ଲାର ତିନୋଟି ପୋଲିସ ଷ୍ଟେସନ ନମସାଇ, ମହାଦେବପୁର ଓ ଚୌଖାମକୁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ସେହିପରି ନାଗାଲାଣ୍ଡରେ ଏଏଫଏସପିଏର ଧାରା ୩ ଅନୁସାରେ ୮ଟି ଜିଲ୍ଲା ଓ ୫ଟି ଜିଲ୍ଲାର ୨୧ଟି ପୋଲିସ ଷ୍ଟେସନକୁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଏହିସବୁ ଅଞ୍ଚଳରେ ଏଏଫଏସପିଏ ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

୮ଟି ‘ଅଶାନ୍ତ ଅଞ୍ଚଳ’ ମଧ୍ୟରେ ଦିମାପୁର, ନିଉଲାଣ୍ଡ, ଛୁମୋଉକେଦିମା, ମୋନ, କିଫିରେ, ନୋକଲାକ, ଫେକ ଓ ପେରେନ ରହିଛି । ଗତ ୨୦୨୨ ମସିହା ଏପ୍ରିଲ ମାସରେ କେନ୍ଦ୍ର ସରକାର ନାଗାଲାଣ୍ଡ, ଆସାମ ଓ ମଣିପୁରର ଅନେକ ଅଞ୍ଚଳରେ ଏଏଫଏସପିଏ ଅଧିନରେ ‘ଅଶାନ୍ତ ଅଞ୍ଚଳ’କୁ ହ୍ରାସ କରିଥିଲେ । ୨୦୧୫ରେ ତ୍ରିପୁରା, ୨୦୧୮ରେ ମେଘାଳୟ ଓ ୧୯୮୦ରେ ମିଜୋରାମରୁ ଏହାକୁ ହଟାଇ ଦିଆଯାଇଥିଲା ।