fbpx
BJD SKY
BJD SKY

ସୀମା ସହିତ କୃଷି କାର୍ଯ୍ୟର ମଧ୍ୟ ଦେଖାଶୁଣା କରିବ ପାକିସ୍ତାନୀ ସେନା, ଅଧିଗ୍ରହଣ କରିବାକୁ ଯାଉଛି ୧୦ଲକ୍ଷ ଏକର ଜମି

BJD

ଓଡ଼ିଶା ଭାସ୍କର: ଦେଶର ସୁରକ୍ଷା ସହ ପ୍ରଶାସକର ଭୂମିକା ତୁଲାଉଛି ପାକିସ୍ତାନର ସେନା। ଇତିହାସ କହୁଛି ସେନା ପ୍ରାୟ ଅଧା ସମୟ ଧରି ତାଙ୍କ ଦେଶକୁ ଶାସନ କରିଛି । ମାସ ମାସ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ଦେଶକୁ ବାହାର କରିବା ପାଇଁ ଏବେ ନୂଆ ଯୋଜନା ପ୍ରସ୍ତୁତ କରିଛି। ନିକ୍କେଇ ଏସିଆର ଏକ ରିପୋର୍ଟ ଅନୁଯାୟୀ, ଗରିବଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରିବା ପାଇଁ ପାକିସ୍ତାନର ସେନା ବିପୁଳ ପରିମାଣର ଜମି ଦଖଲ କରୁଛି। ତେବେ ଅର୍ଥନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଦେଶରେ ସେନାର ବ୍ୟାପକ ଉପସ୍ଥିତିକୁ ନେଇ ଏହି ପଦକ୍ଷେପ ଚିନ୍ତା ବଢ଼ାଇଛି।

ମିଳିତ ବେସାମରିକ-ସାମରିକ ନିବେଶ ସଂସ୍ଥା ଦ୍ୱାରା ଚଳିତ ବର୍ଷ ଆରମ୍ଭରେ ଆରମ୍ଭ ହୋଇଥିବା ନୂତନ ଖାଦ୍ୟ ସୁରକ୍ଷା ଅଭିଯାନରେ ଲିଜ୍ ରେ ଥିବା ସରକାରୀ ଜମିରେ ସେନା ଦ୍ୱାରା ପରିଚାଳିତ ଫାର୍ମ ମାଧ୍ୟମରେ ଫସଲ ଉତ୍ପାଦନ ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏହି ଯୋଜନା ଅନୁଯାୟୀ, ସେନା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୦ ଲକ୍ଷ ଏକର ଜମି ଅଧିଗ୍ରହଣ କରିବ। ଏହା ଦିଲ୍ଲୀ ଠାରୁ ପ୍ରାୟ ତିନି ଗୁଣ ବଡ଼। ଯେଉଁମାନେ ଏହି ଯୋଜନାକୁ ସମର୍ଥନ କରୁଛନ୍ତି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହା ଦ୍ୱାରା ଉତ୍ତମ ଫସଲ ଅମଳ ହେବ ଏବଂ ଜଳ ସଞ୍ଚୟ ହେବ । ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଏବଂ ଦ୍ରବ୍ୟ ଦର ବୃଦ୍ଧି ଯୋଗୁଁ ପାକିସ୍ତାନକୁ ଏହାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଦସ୍ତାବିଜରୁ ଜଣାପଡିଛି ଯେ ଗହମ, କପା ଓ ଆଖୁ ଭଳି ଫସଲ ଉତ୍ପାଦନ ସହିତ ପନିପରିବା ଓ ଫଳ ଚାଷ ପାଇଁ ସେନାକୁ ୩୦ ବର୍ଷ ପର୍ଯ୍ୟନ୍ତ ଲିଜ୍ ଦିଆଯିବ ।

ଫସଲ ବିକ୍ରିରୁ ହେଉଥିବା ଲାଭର ପ୍ରାୟ ୨୦ପ୍ରତିଶତ କୃଷି ଗବେଷଣା ଓ ବିକାଶ ପାଇଁ ରଖାଯିବ। ଲିକ୍ ହୋଇଥିବା ସରକାରୀ ଦସ୍ତାବିଜକୁ ଦର୍ଶାଇ ନିକ୍କେଇ ଏସିଆ ରିପୋର୍ଟ କରିଛି ଯେ ବାକି ସବୁ ସେନା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ। ତେବେ ଏହି ଯୋଜନାକୁ ବିଭିନ୍ନ ମହଲରୁ ଚ୍ୟାଲେଞ୍ଜ ଓ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ପୂର୍ବରୁ ଏକ ଶକ୍ତିଶାଳୀ ୟୁନିଟ୍ ହୋଇଥିବା ସେନା ଖାଦ୍ୟ ସୁରକ୍ଷା ଅଭିଯାନରୁ ବିପୁଳ ଲାଭ ହାସଲ କରିବା ସହ ପାକିସ୍ତାନର ୨୫ ନିୟୁତ ଭୂମିହୀନ ଗରିବଙ୍କୁ ଆହୁରି ବଞ୍ଚିତ କରିପାରେ ବୋଲି ଅନେକ ଚିନ୍ତା ପ୍ରକଟ କରିଛନ୍ତି। ସମାଲୋଚକମାନେ ନିକ୍କେଇ ଏସିଆକୁ କହିଛନ୍ତି ଯେ ସଦ୍ୟତମ ହସ୍ତାନ୍ତର ଦେଶର ସର୍ବବୃହତ ଜମିମାଲିକ ଭାବରେ ପାକିସ୍ତାନର ସେନାକୁ ମଜବୁତ କରିପାରେ । ପରିବେଶ ଆଇନଜୀବୀ ରାଫୟ ଆଲାମ ନିକ୍କେଇ ଏସିଆକୁ କହିଛନ୍ତି, ସେନାର କାମ ହେଉଛି ବାହ୍ୟ ବିପଦରୁ ରକ୍ଷା କରିବା ଏବଂ ଅନୁରୋଧ କଲେ ବେସାମରିକ ସରକାରଙ୍କୁ ସାହାଯ୍ୟ କରିବା ।

Get real time updates directly on you device, subscribe now.