fbpx

ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ଇସ୍ରୋର ନଜର ଶୁକ୍ର ଉପରେ, କେବେ ଲଞ୍ଚ ହେବ ଶୁକ୍ରଯାନ ଓ କ’ଣ ରହିଛି ଯୋଜନା ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ:ଚନ୍ଦ୍ରଯାନ ୩ ଓ ଆଦିତ୍ୟ ଏଲ୍ ୧ ପରି ସଫଳ ମିଶନ ପରେ ଏବେ ଇସ୍ରୋର ନଜର ପଡିଛି ଶୁକ୍ର ଗ୍ରହ ଉପରେ । ଇସ୍ରୋ ଶୁକ୍ରଯାନକୁ ନେଇ ପ୍ରସ୍ତୁତି ବି ଆରମ୍ଭ କରିଦେଇଛି । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ଶୁକ୍ରର ବାୟୁମଣ୍ଡଳ ଓ ଏହାର ଏସିଡିକ୍ ବ୍ୟବହାରକୁ ବୁଝିବା ପାଇଁ ଜରୁରୀ ସେଠାକୁ ଏକ ମିଶନ ପଠାଇବା । ଏହାଦ୍ୱାରା ସେଠିକାର ବାୟୁମଣ୍ଡଳ ବିଷୟରେ ଅନୁଧ୍ୟାନ କରିହେବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଶୁକ୍ରର ବାୟୁମଣ୍ଡଳୀୟ ଚାପ ପୃଥିବୀ ଠାରୁ ୧୦୦ ଗୁଣ ଅଧିକ । ଡା. ସୋମନାଥ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀରେ ଅଭିଭାଷଣ ଦେବା ସମୟରେ ଏହି କଥା କହିଛନ୍ତି । ଡା. ସୋମନାଥ କହିଛନ୍ତି ଆମେ ଏ ପର୍ଯ୍ୟନ୍ତ ଜାଣିପାରିନାହୁଁ କି ଏଠାରେ ଏତେ ବାୟୁମଣ୍ଡଳୀୟ ଚାପ ରହିବା ପଛରେ କ’ଣ କାରଣ ରହିଛି । ଶୁକ୍ର ଗ୍ରହ ଚାରିପଟେ ଯେଉଁ ବାଦଲ ଘେରି ରହିଛି ସେଥିରେ ଏସିଡ୍ ଭରି ରହିଛି । ଏହି କାରଣରୁ କୌଣସି ବି ମହାକାଶଯାନ ଏହାର ବାୟୁମଣ୍ଡଳ ପାର କରି ଏହାର ପୃଷ୍ଠକୁ ଯାଇ ପାରି ନାହିଁ । ସେ କହିଛନ୍ତି ସୌର ମଣ୍ଡଳର ଉତ୍ପତ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ହେଲେ ଶୁକ୍ର ବିଷୟରେ ଅଧ୍ୟୟନ ଜରୁରୀ ।

ଶୁକ୍ର ଓ ମଙ୍ଗଳ ଗ୍ରହକୁ ଧ୍ୟାନର ସହ ଦେଖିଲେ ଜଣାପଡିଯାଏ ଏଠାରେ ଜୀବସତ୍ତା କାହିଁକି ସମ୍ଭବ ନୁହେଁ । ଶୁକ୍ର ଚାରିପଟେ ଯେଉଁ ବାଦଲ ଘେରି ରହିଛି ସେଥିରେ ଏସିଡ୍ ଭରି ରହିଛି । ତଥାପି ଏହାର ରହସ୍ୟ ଗଭୀର ଭାବରେ ଅଧ୍ୟୟନ ଲାଗି ଏଠାକୁ ମିଶନ ପଠାଇବା ଜରୁରୀ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ଶୁକ୍ରଯାନ ୪ ବର୍ଷ ପର୍ଯ୍ୟନ୍ତ ଶୁକ୍ର ଗ୍ରହର ଅଧ୍ୟୟନ କରିବ । ଡା.ସୋମନାଥଙ୍କ ଏହି ବୟାନର କିଛି ମାସ ପୂର୍ବରୁ ଇସ୍ରୋର ଜଣେ ବୈଜ୍ଞାନିକ କହିଥିଲେ ଯେ, ଇସ୍ରୋ ପକ୍ଷରୁ ଶୁକ୍ରଯାନକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ସରକାରଙ୍କ ପକ୍ଷରୁ ଅଧିକାରୀକ ଅନୁମତି ଏ ପର୍ଯ୍ୟନ୍ତ ଆସିନାହିଁ ।

Get real time updates directly on you device, subscribe now.