fbpx

ଘର ବାହାରେ ଖେଳୁଥିଲା ୭ ବର୍ଷର ଶିଶୁ, ମୁଣ୍ଡକୁ ଧରି ଭିଡିନେଲା କୁକୁର

ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦାରେ ଘର ବାହାରେ ଖେଳୁଥିବା ଏକ ୭ ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ଦେଇଥିବାର ଖବର ସାମ୍ନାକୁ ଆସିଛି । କୁକୁର ଶିଶୁଟିର ମୁଣ୍ଡକୁ ପାଟିରେ ଧରି ଏପରି ଭାବରେ ଭିଡି ଦେଇଛି ଯେ ଶିଶୁଟି ଏବେ ଜୀବନ ସହ ସଂଗ୍ରାମ କରୁଛି । ପିଲାଟିର ଚିତ୍କାର ଶୁଣି ଲୋକମାନେ ଆସିବା ପୂର୍ବରୁ କୁକୁର ଶିଶୁର ମୁହଁକୁ କ୍ଷତାକ୍ତ କରିସାରିଥିଲା । ଶିଶୁଟିକୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ଉପର ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ଏପରି ଘଟଣା କୋତୱାଲି ପରଶୁରାମ ଅଞ୍ଚଳରେ ଘଟିଛି । ଏଠାରେ ରହୁଥିବା ରାଜ ଗୋବିନ୍ଦଙ୍କର ୭ ବର୍ଷର ପୁଅ ହର୍ଷ ଆଜି ଘର ବାହାରେ ଖେଳୁଥିଲା । ଏହି ସମୟରେ କିଛି ବୁଲା କୁକୁର ତା’ ଉପରେ ଆକ୍ରମଣ କରିଦେଇଥିଲେ । କୁକୁର ଶିଶୁଟିର ମୁଣ୍ଡକୁ ପାଟିରେ ଜାବୁଡି ଧରି ଟାଣି ନେଇଥିଲା । ପରିବାର ଲୋକମାନେ ଶିଶୁଟିକୁ କୁକୁର ମୁହଁରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ହେବା ବେଳକୁ ପିଲାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଜିଲ୍ଲା ହସ୍ପିଟାଲର ଡାକ୍ତର କହିଛନ୍ତି ପିଲାଟି ଗମ୍ଭୀର ଭାବରେ କ୍ଷତାକ୍ତ ହୋଇଛି । ପ୍ରାଥମିକ ଚିକିତ୍ସା ପରେ ତାକୁ ଉତ୍ତମ ଚିକିତ୍ସା ଲାଗି ଉଚ୍ଚ ହସ୍ପିଟାଲକୁ ରେଫର କରି ଦିଆଯାଇଛି ।

ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବୁଲା କୁକୁରଙ୍କୁ ଧରି ଜନଜୀବନକୁ ସୁରକ୍ଷା ଦେବାକୁ ନଗରପାଳିକା ନିକଟରେ ଲୋକମାନେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.