fbpx

ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ୫.୨ ତୀବ୍ରତା

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ପଶ୍ଚିମବଙ୍ଗ, ଆସାମ ସମେତ ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଭୂପୃଷ୍ଠ ଥରିଥିବା ଦେଖାଯାଇଥିଲା । ମେଘାଳୟରେ ଦେଖାଦେଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଧରିତ୍ରୀ ଥରିବା ସହିତ ପୂର୍ବ-ଉତ୍ତର ରାଜ୍ୟ ଆସାମ ଓ ମେଘାଳୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ମେଘାଳୟରେ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଥିଲା । ମେଘାଳୟରେ ସନ୍ଧ୍ୟା ୬.୧୫ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଉତ୍ତର ବଙ୍ଗର କିଛି ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଦେଖିବାକୁ ମିଳିଥିଲା । ସିଲିଗୁଡ଼ୀ ଓ କୁଚବିହାରରେ ଜନସାଧାରଣ ଭୂକମ୍ପ ଝଟକା ଅନୁଭବ କରିଥିଲେ । ଗାନ୍ଧୀ ଜୟନ୍ତୀ ଛୁଟି ଅବସରେ ଲୋକମାନେ ନିଜ ନିଜର ଘରେ ରହିଥିଲେ । ଭୂକମ୍ପ କାରଣରୁ ଲୋକଙ୍କ ମଧ୍ୟରେ ହଡ଼କମ୍ପ ମଚିଯାଇଥିଲା । ଫଳରେ ଲୋକମାନେ ଘରୁ ବାହାରକୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇଥିବାର ଖବର ସାମ୍ନାକୁ ଆସିନାହିଁ । ଅନ୍ୟପକ୍ଷରେ ଦାର୍ଜିଲିଂର ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଗତ ରବିବାର ଦିନ ହରିୟାଣାର କିଛି ସ୍ଥାନରେ ଭୂକମ୍ପର ହାଲୁକା ଝଟକା ଦେଖିବାକୁ ମିଳିଥିଲା । ରାତି ୧୧.୨୬ ସମୟରେ ରାଜ୍ୟରେ ୨.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରୋହତକ ଠାରୁ ୭ କିମି ପୂର୍ବ-ଦକ୍ଷିଣ-ପୂର୍ବ ସ୍ଥାନ ବୋଲି ଜଣାପଡ଼ିଥିଲା ।

Get real time updates directly on you device, subscribe now.