fbpx

(Video) ବନ୍ଦେ ଭାରତ ଟ୍ରେନକୁ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର: ଟ୍ରାକରେ କିଏ ରଖିଛି ଇଟା, ପଥର?

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଇବା ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଭାରତ ଅନେକ ସୁନାମ ଅର୍ଜନ କରୁଛି । କିନ୍ତୁ ଏବେ ଏହି ବନ୍ଦେ ଭାରତକୁ ଦୁର୍ଘଟଣାର ଶିକାର କରାଇବା ପାଇଁ ରଚାଯାଉଛି ଷଡ଼ଯନ୍ତ୍ର । ଟ୍ରେନକୁ ଓଲଟାଇ ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଦୁର୍ବୃତ୍ତ । ରେଲୱେ ଟ୍ରାକରେ ବିଛାଯାଇଛି ଇଟା-ପଥର ସହିତ ଲୁହାଖଣ୍ଡ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଏକ ହୀନ ଷଡ଼ଯନ୍ତ୍ର କିଏ କରିଛି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଏଭଳି ଏକ ଘଟଣା ଘଟିଯାଇଛି ରାଜସ୍ଥାନର ଭୀଲୱାଡ଼ା ଅଞ୍ଚଳରେ । ଏହି ଷ୍ଟେସନ ଦେଇ ଯାଉଥିବା ଉଦୟପୁର-ଜୟପୁର ବନ୍ଦେ ଭାରତ ଟ୍ରେନକୁ ଓଲଟାଇ ଦେବା ପାଇଁ ଭୟାନକ ଜାଲ ବିଛାଯାଇଥିଲା । ଟ୍ରେନ ଯିବା ବାଟରେ ରେଳ ଲାଇନରେ ଇଟା ପଥର ସାଙ୍ଗକୁ ଲୁହାଖଣ୍ଡ ରଖି ଦିଆଯାଇଛି । ଯାହାଦ୍ୱାରା ଟ୍ରେନ ଲାଇନଚ୍ୟୁତ ହେବା ସହ ବଡ଼ ଦୁର୍ଘଟଣାର ଶିକାର ହେବାର ସମ୍ଭାବନା ରହିଥିଲା । ତେବେ ଠିକ ସମୟରେ ଏସବୁ ଉପରେ ଟ୍ରେନର ଲୋକୋ ପାଇଲଟଙ୍କ ନଜର ପଡ଼ିଯିବାରୁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଇଟା-ପଥର ପଡ଼ିଥିବା ସ୍ଥାନରୁ ଯଥେଷ୍ଟ ପୂର୍ବରୁ ସେ ବ୍ରେକ ମାରି ଗାଡ଼ି ଅଟକାଇ ଦେବାରେ ସଫଳ ହୋଇଛନ୍ତି । ଯାହାପରେ ଟ୍ରାକରୁ ସମସ୍ତ ଇଟାପଥର ଏବଂ ଲୁହାଖଣ୍ଡ ହଟାଇ ଦିଆଯାଇଥିଲା ଏବଂ ପରେ ବନ୍ଦେ ଭାରତ ଏକ୍ସପ୍ରେସ ପୁଣିଥରେ ଆଗେଇଥିଲା ।

ତେବେ ଏ ନେଇ ଭାରତୀୟ ରେଲୱେ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ । ଉତ୍ତର-ପଶ୍ଚିମ ରେଲୱେ ଆରପିଏଫ ତରଫରୁ ଏହି ମାମଲା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ କୁହାଯାଇଛି । ସୋସିଆଲ ମିଡିଆରେ କିଛି ଲୋକ ଏହାର ଭିଡିଓ ଆଟାଚ କରି ରେଲୱେ ନିକଟରେ ଅଭିଯୋଗ ଆଣିଥିଲେ । ଏହାପରେ ଆଜମେର ଆରପିଏଫ ତରଫରୁ ଉତ୍ତର ଦେଇଛନ୍ତି ଯେ, ଭୀଲୱାଡ଼ାର ନିରୀକ୍ଷକ ଏହି ମାମଲାକୁ ତଦାରଖ କରିବା ସହ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ତେବେ ଏଭଳି ଭୟାନକ ତଥା ହୀନ ଷଡ଼ଯନ୍ତ୍ର କିଏ କରିଛି ବୋଲି ଏବେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.